ଉଠୁଛି ପଡୁଛି ବିଜେପୁର। ଦୁଇ ଦିନ ପରେ ବିଜେପୁର ଉପନିର୍ବାଚନ। ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ମାତିଛନ୍ତି। 21 ତାରିଖ ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା କାଲି ଶେଷ ହେଉଛି ନିର୍ବାଚନ ପ୍ରଚାର। ଆସନ୍ତାକାଲି ସନ୍ଧ୍ୟା ପରେ ସବୁକିଛି ନିସ୍ତବ୍ଧ ନୀରବ ହୋଇଯିବ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ଆଉ ସମୟ ମିଳିବନି। ହାତରେ କମ ସମୟ ଥିବାବେଳେ ଦୁଇ ଦିନ ଭିତରେ ଲୋକଙ୍କୁ ଲୋଭେଇବାକୁ ଲାଗି ପଡିଛନ୍ତି ନେତା ମନ୍ତ୍ରୀ। ଆଜି ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ବିଜେପିର ହେଭିୱେଟ୍ ନେତା ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବାବେଳେ ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଜୋରଦାର ପ୍ରଚାର କରୁଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଦ୍ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଗତକାଲି ଠାରୁ ମୁଖ୍ୟମନ୍ତ୍ରୀ ବରଗଡ଼ରେ ରହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକରେ ରୋଡ୍ ଶୋ କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ଓ ବରପାଲି ବ୍ଲକର ପ୍ରଚାର କରିଛନ୍ତି। ସେହିପରି ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପ୍ରଚାରର ମଙ୍ଗ ଧରିଛନ୍ତି। ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ସେ ଜନ ସମର୍ଥନ ଲୋଡ଼ିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ବରପାଲି ଓ ବିଜେପୁର ବ୍ଲକରେ ପ୍ରଚାର କରୁଥିବା ବେଳେ ପ୍ରତାପ ଷଡ଼ଙ୍ଗୀଙ୍କ ବିଭିନ୍ନ ସ୍ଥାନରେ ରୋଡ୍ ଶୋ କାର୍ଯ୍ୟକ୍ରମ ରହିଛି ।