ଆସୁଛି ଆଉ ଏକ ଲଘୁଚାପ,୧୯ରୁ ପ୍ରବଳ ବର୍ଷା

ଅକ୍ଟୋବର ଆସିଲେ ଲାଗୁଛି ଡ଼ର

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖରୁ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଦେଖାଦେଇଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ, ଏବଂ ୧୯ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ପାଗ ମେଘୁଆ ରହିବ। ୧୯ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ‌ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି ଯେ ଲଘୁଚାପର ପ୍ରଭାବ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ଅନୁଭୂତ ହେବ। ଫଳରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିବାର ସମ୍ଭବାନା ଥିବାରୁ ବନ୍ୟା ପରିସ୍ଥିତି ବି ଉପୁଜିପାରେ। ୧୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହେବ। ଏଣୁ ‌‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିନ୍ତୁ ୨୦ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିବ। ଗଞ୍ଜାମ ଓ ଗଜପତିରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏଣୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *