କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ୮ ବର୍ଷ ପୁରୁଣା ଗାଡି ଉପରେ ଟିକସ ଲଗାଇବାକୁ ବିଚାର କରୁଛି। ୮ ବର୍ଷରୁ ଅଧିକ ପୁରୁଣା ଗାଡି ଚଲାଉଥିଲେ ଦେବାକୁ ପଡ଼ିବ ଅଧିକ ଟିକସ।ଗ୍ରୀନ ଟ୍ୟାକ୍ସ ନାମରେ ଏହି ଟିକସ ଲାଗୁ କରିବାକୁ ଯାଉଛି ପରିବହନ ମନ୍ତ୍ରାଳୟ। ଫିଟନେସ ପ୍ରମାଣପତ୍ର ଦିଆଯିବା ସମୟରେ ଏହି ଟ୍ୟାକ୍ସ ଆପଣଙ୍କୁ ଦେବାକୁ ପଡିବ। ତେବେ ଏହି ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିବା ପୂର୍ବରୁ ଏହି ପ୍ରସ୍ତାବକୁ ରାଜ୍ୟମାନଙ୍କୁ ପଠାଯିବ।ଏହି ପ୍ରସ୍ତାବ ମୁତାବକ ବାଣିଜ୍ୟ ପରିବହନରେ ବ୍ୟବହୃତ ହେଉଥିବା ଗାଡିରେ ଗ୍ରୀନ ଟ୍ୟାକ୍ସ, ରୋଡ଼ ଟ୍ୟାକ୍ସର ୧୦ରୁ ୨୫ ପ୍ରତିଶତ ହିସାବରେ ଲାଗୁ କରାଯିବ। ଆଉ ବ୍ୟକ୍ତିଗତ ଗାଡି ଉପରେ ଏହି ଟିକସ ୧୫ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଛି। ସେହିପରି ଅତ୍ୟଧିକ ପ୍ରଦୂଷିତ ସହରରେ ପୁରୁଣା ଗାଡି ଉପରେ ୫୦ ପ୍ରତିଶତ ଗ୍ରୀନ ଟ୍ୟାକ୍ସ ଲାଗୁ କରାଯିବ।ପେଟ୍ରୋଲ, ଡିଜେଲ ଗାଡ଼ିଗୁଡ଼ିକ ପାଇଁ ଭିନ୍ନ ଭିନ୍ନ ଗ୍ରୀନ ଟ୍ୟାକ୍ସ ବ୍ୟବସ୍ଥା କରାଯିବା ସହ ସିଏନଜି, ଏଲପିଜି ଓ ଇଲେକ୍ଟ୍ରିକ ଗାଡି ପାଇଁ ଗ୍ରୀନ ଟ୍ୟାକ୍ସ ଲାଗୁ କରାଯିବ ନାହିଁ।