କରୋନା ପାଇଁ ଆଗୁଆ ମିଳିବ ୪ ମାସର ଭତ୍ତା ଓ ୩ ମାସର ପିଡିଏସ ସାମଗ୍ରୀ

କରୋନାକୁ ନେଇ ରାଜ୍ୟସରକାର ବେଶ ସଚେତନ। କରୋନା ଭାଇରସକୁ ନେଇ ରାଜ୍ୟସରକାର ଅନେକ ପ୍ରକାର ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ ସଚେତନ କରେଇବାକୁ ସରକାର ବିଭିନ୍ନ ପରାମର୍ଶ ଦେବା ସହ ଅନେକ ଆଡଭାଇଜାରୀ ଜାରି କରାଯାଇଛି।  ଏହାରି ମଧ୍ୟରେ  ବିଭିନ୍ନ ସାମାଜିକ ଭତ୍ତାଧାରୀଙ୍କୁ ଏପ୍ରିଲ, ମେ’, ଜୁନ୍‌ ଓ ଜୁଲାଇ ମାସର ଟଙ୍କା ଏକାସଂଗେ ଅଗ୍ରୀମ ଦିଆଯିବ। ଏଥିରେ ମଧୁବାବୁ ପେନସନ ଯୋଜନାର ୨୮ ଲକ୍ଷ ଏବଂ NSAPର ୨୦ଲକ୍ଷ, ଏପରି ମୋଟ୍‌ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ। ସେହିପରି କରୋନା ପାଇଁ ତିନି ମାସର ପିଡିଏସ୍‌ ସାମଗ୍ରୀ ଆଗୁଆ ଦିଆଯିବ। ଏପ୍ରିଲ୍‌, ମେ’ ଓ ଜୁନ୍ ମାସର ଚାଉଳ, ଗହମ ଓ କିରାସିନି ଏପ୍ରିଲ୍‌ ପହିଲାରୁ ମେ’ ୧୫ ତାରିଖ ଭିତରେ ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ତାଲିକାଭୁକ୍ତ ୩.୨୬ କୋଟି ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ୪.୫ ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହେବେ। କରୋନାର ସତର୍କତାମୂଳକ ପଦ‌କ୍ଷେପ ଭାବେ ସୁଲଭ ମୂଲ୍ୟ ଦୋକାନଗୁଡ଼ିକରେ ଗହଳି ନ ଜମାଇ ହିତାଧିକାରୀମାନେ ଯେପରି ରାସନ୍ ସାମଗ୍ରୀ ଉଠାଇ ପାରିବେ, ସେଥି ପାଇଁ ୪୫ ଦିନର ସମୟ ଦିଆଯାଇଛି। ଏହି ବଣ୍ଟନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଇ-ପସ୍ ମେସିନ୍ ଜରିଆରେ ‌ରାସନ୍ ସାମଗ୍ରୀ ବଣ୍ଟନ ସମୟରେ ହିତାଧିକାରୀଙ୍କ ଫିଙ୍ଗରପ୍ରିଣ୍ଟ୍ ଆବଶ୍ୟକତାକୁ ବାଦ୍ ଦେବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *