ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ପରିସରରେ ଆରମ୍ଭ ହୋଇଛି ଫିଫା ଇସ୍ପୋର୍ଟସ ଗେମ୍। ଏଥର ପଡିଆ ଭିତରେ ନୁହେଁ ଏସି ରୁମରେ ବସି ରିମୋଟ ମାଧ୍ୟମରେ ଫୁଟବଲ ଖେଳୁଛନ୍ତି ଖେଳାଳି। ବ୍ୟସ୍ତବହୁଳ ଜୀବନ ଭିତରେ ଫୁଟବଲ୍ ଖେଳିବାର ମଜା ଏବେ ବିନା ଶାରୀରିକ ପରିଶ୍ରମରେ ଉଠାଇ ପାରିବେ। ଯାହା ଥରେ ଆଖିରେ ନ ଦେଖିଲେ ବିଶ୍ୱାସ ହେବନି। ଏଭଳି ଏକ ନିଆରା ଖେଳର ପ୍ରତିଯୋଗିତା ଏବେ କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଛି। ପ୍ରଥମ ଥର ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଭଳି ଏକ କ୍ରୀଡ଼ା ଦେଖିବାକୁ ମିଳିଛି। ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର 150 ପ୍ରତିଯୋଗୀ ଅଶଂଗ୍ରହଣ କରିଛନ୍ତି। ଏହି କ୍ରୀଡ଼ା ପାଇଁ ଅଶଂଗ୍ରହଣକାରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶାରେ ଏଭଳି ଏକ କ୍ରୀଡ଼ାର ପ୍ରଚାର ପ୍ରସାର ହୋଇପାରିଛି। ଏହି ପ୍ରତିଯୋଗିତା ଏକା ସଙ୍ଗରେ ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଓଡ଼ିଶାରେ ଖେଳାଯାଉଛି। ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ଶନିବାର ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହେବ। ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳି ଅଗଷ୍ଟ ଶେଷ ଭାଗରେ ଦିଲ୍ଲୀରେ ହେବାକୁ ଥିବା ଫାଇନାଲ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସାରାବିଶ୍ୱରେ ଏହି କ୍ରୀଡ଼ାର ଚାହିଦା ବହୁ ଅଧିକ ଥିବା ବେଳେ ଏବେ ଭାରତରେ ମଧ୍ୟ ଏହି କ୍ରୀଡ଼ାର ବିକାଶ ପାଇଁ ପ୍ରଚାର ଓ ପ୍ରସାର ଆରମ୍ଭ ହୋଇଛି। ବ୍ୟସ୍ତ ବହୁଳ ଜୀବନରେ ଅନେକ ଏମିତି ଖେଳାଳି ଅଛନ୍ତି ଯେଉଁମାନେ ପଡିଆ ମଧ୍ୟରେ ଖେଳିବାକୁ ସୁଯୋଗ ଓ ସମୟ ପାଉନଥିବା ସ୍ଥଳେ ଇସ୍ପୋର୍ଟସ ଗେମ୍ ମାଧ୍ୟମରେ ନିଜର ମନବାଞ୍ଛା ପୂରଣ କରିବାକୁ କଳିଙ୍ଗ ଷ୍ଟାଡ଼ିୟମରେ ଆସି ପହଞ୍ଚିଛନ୍ତି।
ଗୋଟିଏ ପରେ ଗୋଟିଏ ବଡ ପ୍ରତିଯୋଗିିତା ସଫଳତାର ସହ ଆୟୋଜନ କରି ଅନେକ ପ୍ରଶଂସା ସାଉଁଟିଥିବା ଓଡ଼ିଶା କିନ୍ତୁ କ୍ରୀଡ଼ା କ୍ଷେତ୍ରରେ ଆଉ ପାଦେ ଆଗେଇଛି। ରାଜ୍ୟସରକାର ଓ ଜେଟିଏସ୍ ସଂସ୍ଥା ମିଳିତ ଉଦ୍ୟମରେ କଳିଙ୍ଗ ଷ୍ଟାଡିୟମରେ ଦେଶର ସର୍ବବୃହତ୍ତ ଫିଫା ଇସ୍ପୋର୍ଟ୍ସ ଗେମ୍ ଖେଳାଯାଉଛି। ସ୍ପୋର୍ଟ୍ସ ହବ୍ କୁହାଯାଉଥିବା ଭୁବନେଶ୍ୱରକୁ ନୂଆ ନୂଆ ସ୍ପୋର୍ଟ ଆଣି କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ରାଜ୍ୟ କ୍ରୀଡ଼ା ବିଭାଗ ଲାଗିପଡିଛି।