ଦୌଡ଼ରାଣୀ ତଥା ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ଆଉ ଏକ ସଫଳତା। ଏ ବର୍ଷର ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇବେ ଦୂତି। ୨୦୧୯ ଅକ୍ଟୋବର ମାସରେ ଦୂତି ନ୍ୟାସନାଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ପାଇଥିଲେ। ନିଜ ପୂର୍ବ ରେକର୍ଡକୁ ଭାଙ୍ଗିବା ସହ ଦୂତି ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ପୂରା କରିଥିଲେ। ପୂର୍ବରୁ ଦୂତିଙ୍କ ନାଁରେ ଏହି ରେକର୍ଡ ୧୧.୨୬ ସେକେଣ୍ଡ ଥିଲା। ଦୌଡ଼କୁଦରୁ ରାଜ୍ୟର ଦ୍ୱିତୀୟ ଓଡ଼ିଆ ଭାବେ ଦୂତି ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ପୂର୍ବରୁ ରାଜ୍ୟରୁ ଦୌଡ଼କୁଦରେ ରଚିତା ମିସ୍ତ୍ରୀ (ପଣ୍ଡା) ଅର୍ଜୁନ ପୁରସ୍କାର ପାଇଥିଲେ। ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟପକ୍ଷରୁ ରାଜୀବ ଗାନ୍ଧି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ଲାଗି ନାମ ଘୋଷଣା କରାଯାଇଛି।
ଏଥର ୫ ଜଣ କ୍ରୀଡ଼ାବିତ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ୨୭ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିବ। କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଅଥଲେଟ ମାରିୟପ୍ପାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାନିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ମନୋନୀତ କରାଯାଇଛି । ସେହିପରି ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ଖେଳାଳିମାନେ ହେଲେ ଅତନୁ ଦାସ (ତୀରନ୍ଦାଜ), ଦୂତି ଚାନ୍ଦ(ଆଥଲେଟିକ୍ସ), ସତୀଶ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଚନ୍ଦ୍ରଶେଖର ରେଡ୍ଡୀ (ବ୍ୟାଡମିଣ୍ଟନ), ବିଶେଷ ଭୃଗୁବଂଶୀ ( ବାସ୍କେଟବଲ), ସୁବେଦାର ମାନିସ କୌଶିକ (ବକ୍ସିଂ), ଲୋଭିନା ବରଗୋହେନ( ବକ୍ସିଂ), ଇଶାନ୍ତ ଶର୍ମା (କ୍ରିକେଟ), ଦିପ୍ତି ଶର୍ମା (କ୍ରିକେଟ), ସାଓ୍ଵନ୍ତ ଅଜୟ ଅନନ୍ତ ( ଅଶ୍ୱାରୋହଣ), ସଂଦେଶ ଝିଙ୍ଗନ(ଫୁଟବଲ), ଅଦିତି ଅଶୋକ ( ଗଲ୍ଫ), ଅକାଶଦୀପ ସିଂ ଓ ଦୀପିକା (ହକି), ଦୀପକ (କବାଡି), କାଲେ ସୁଧାକର ( ଖୋ ଖୋ), ଦତ୍ତୁ ବାବନ ଭୋକାନାଲ( ନୌଚାଳନା), ମାନୁ ଭାସ୍କର ଓ ସୌରଭ ଚୌଧୁରୀ ( ବନ୍ଧୁକ ଚାଳନା), ମଧୁରିକା ସୁହାସ ପାଟକର (ଟେବୁଲ ଟେନିସ), ଦିଭିଜ ସରନ (ଟେନିସ), ସିୟା କେଶବନ୍ (ଶୀତକାଳୀନ କ୍ରୀଡା), ଦିବ୍ୟା କକରନ ଓ ରାହୁଲ ଆବାରେ (କୁସ୍ତି), ସୁୟାଂଶ ନାରାୟଣ ଯାଦବ (ପାରା ସନ୍ତରଣ), ସନ୍ଦିପ (ପାରା ଅଥଲେଟିକ୍ସ), ମନୀଷ ନରଓ୍ଵାଲ ( ପାରା ସୁଟିଂ) । ଏହି ୨୭ ଜଣଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିବା ନେଇ ଆଜି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।