ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିଚାଲିଛନ୍ତି ଧାବିକା ରାଣୀ ଦୂତି ଚାନ୍ଦ। ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କୁ ଆଉ ଏକ ସଫଳତା ମଳିଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳାଯାଇଥିବା ୫୯ତମ ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦୦ ମିଟର ରେସରେ ତୂତିଙ୍କୁ ଏହି ସଫଳତା ମିଳିଛି। ଶୁକ୍ରବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଦୂତି ୧୧.୩୮ ସେକେଣ୍ଡରେ ୧୦୦ ମିଟରକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ। ତାମିଲନାଡ଼ୁର ଅର୍ଚ୍ଚନା ସୁସିନ୍ଦ୍ରନ୍ ୧୧.୫୦ ସେକେଣ୍ଡ ସହ ରୌପ୍ୟ ଓ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୧.୬୩ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ବ୍ରୋଞ୍ଜ୍ପଦକ ପାଇଥିଲେ। ନିକଟରେ ଇଟାଲିର ନାପୋଲିଠାରେ ଶେଷ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ସ୍ୱର୍ଣ୍ଣ ପଦକ ହାସଲ କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ।