ଦୂତିଙ୍କ ନୂଆ କୀର୍ତ୍ତିମାନ। ସଫଳତା ଯେମିତି ଦୂତିଙ୍କ ପିଛା ଛାଡୁନି। ଗୋଟିଏ ପରେ ଗୋଟିଏ ଇଭେଣ୍ଟରେ ସେ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖି ରାଜ୍ୟ ତଥା ଦେଶ ପାଇଁ ଅନେକ ସୁନାମ ଅର୍ଜନ କରୁଛନ୍ତି। ରାଞ୍ଚିରେ ଅନୁଷ୍ଠିତ ଜାତୀୟ ଓପନ ଆଥଲେଟିକ ଚାମ୍ପିୟନସିପରେ ଦୂତିଚାନ୍ଦ ଜାତୀୟ ରେକର୍ଡ ଭାଙ୍ଗିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଯେଉଁ ଜାତୀୟ ରେକର୍ଡ ପୂର୍ବରୁ ଦୂତିଙ୍କ ନାଁରେ ଥିଲା ତାହା ଏବେ ସେ ନିଜେ ଭାଙ୍ଗିଛନ୍ତି। ପୂର୍ବରୁ 100 ମିଟରରେ ଜାତୀୟ ରେକର୍ଡ 11.26 ସେକେଣ୍ଟ ଥିଲା। କିନ୍ତୁ ଶୁକ୍ରବାର ଦୂତି ସେମିଫାଇନାଲରେ 100 ମିଟରକୁ 11.22 ସେକେଣ୍ଟରେ ଅତିକ୍ରମ କରିବା ସହ ନୂଅା ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଏହା ଦୂତିଚାନ୍ଦଙ୍କ ଜୀବନର ସର୍ବଶେ୍ରଷ୍ଠ ଟାଇମିଂ ମଧ୍ୟ। ଏହାସହ ଦୂତି 2020 ଟୋକିଓ ଅଲିମ୍ପିକ ପାଇଁ ନିକଟତର ମଧ୍ୟ ହୋଇଛନ୍ତି। ଆଗାମୀ ଅଲିମ୍ପିକ ପାଇଁ ଯୋଗ୍ୟତା ଟାଇମିଂ 11.15 ଥିବା ବେଳେ ଦୂତି ଏହି ଟାଗେର୍ଟକୁ ଖୁବଶୀଘ୍ର ଛୁଇଁ ପାରିବେ ବୋଲି ବେଶ ଆଶାବାଦୀ ଅଛନ୍ତି।
ସେପଟେ ଜାତୀୟ ଓପନ ଆଲେଟିକ ଚାମ୍ପିୟନସିପରେ ଦୂତିଚାନ୍ଦଙ୍କ ପରେ ଆଉ ଦୁଇ ଓଡ଼ିଆଙ୍କୁ ମିଳିଛି ସଫଳତା। ପୁରୁଷ ୧୦୦ ମିଟର ଦୌଡ଼ରେ ଅମିୟ ମଲ୍ଲିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୧୦୦ ମିଟର ଦୂରତାକୁ ଅମିୟ ୧୦. ୪୬ ସେକେଣ୍ତ ସମୟ ନେଇ ଅତିକ୍ରମ କରିଛନ୍ତି। ତେବେ ୨୦୧୬ରେ ଅମିୟ ସ୍ଥାପନ କରିଥିବା ନିଜର ଜାତୀୟ କୀର୍ତ୍ତିମାନକୁ ସେ ଭାଙ୍ଗିପାରିନାହାଁନ୍ତି। ୨୦୧୬ରେ ଅମିୟ ୧୦.୨୬ ସେକେଣ୍ତରେ ଶହେ ମିଟର ଅତିକ୍ରମ କରି ଜାତୀୟ ରେକର୍ଡ କରିଥିଲେ। ଦୀର୍ଘ ଦିନ ଧରି ଖରାପ ଫର୍ମରେ ଗତି କରିଆସୁ ଥିବା ଅମୀୟ ଏବେ ଫର୍ମକୁ ଫେରିଛନ୍ତି। ଅନ୍ୟପକ୍ଷରେ ମହିଳା ୪୦୦ ମିଟର ବାଧାଦୌଡ଼ରେ ଓଏନ୍ଜିସିକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଧାବିକା ଜଉନା ମୁର୍ମୁ ୫୮.୦୮ ସେକେଣ୍ତ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।