ଟାଇମ୍‌ସ ଅଫ୍‌ ଇଣ୍ଡିଆ କ୍ରୀଡ଼ା ପୁରସ୍କାର: ଦୌଡ଼ରେ ଆଗରେ ଦୁତୀଚାନ୍ଦ ଓ ପ୍ରମୋଦ

ଦେଶର ନମ୍ବର-1 ଇଂରାଜି ଖବରକାଗଜ ଟାଇମ୍‌ସ ଅଫ ଇଣ୍ଡିଆର ବାର୍ଷିକ କ୍ରୀଡ଼ା ପୁରସ୍କାର ଦୌଡ଼ରେ ଓଡ଼ିଆ ସ୍ପ୍ରିଣ୍ଟର ଅଲିମ୍ପିଆନ ଦୁତୀଚାନ୍ଦ ଚାନ୍ଦ ଓ ବିଶ୍ୱ ଚମ୍ପିଆନ ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଗରେ। ପ୍ରତିବର୍ଷ ଭଳି ଚଳିତବର୍ଷ ଟାଇମ୍‌ସ ଅଫ ଇଣ୍ଡିଆ ପକ୍ଷରୁ ତୀରନ୍ଦାଜୀ, ଦୌଡ଼କୁଦ, ବ୍ୟାଡ଼ମିଣ୍ଟନ, ବିଲିୟାର୍ଡସ, ବକ୍ସିଂ, ଚେସ୍‌, କ୍ରିକେଟ, ଫୁଟବଲ, ଗଲ୍‌ଫ, ହକି, କବାଡ଼ି, ପାରା ସ୍ପୋର୍ଟସ, ରୋଇଂ, ସୁଟିଂ, ସ୍କ୍ୱାସ, ଟେବୁଲ ଟେନିସ୍‌, ଟେନିସ୍‌, ଭାରୋତ୍ତୋଳନ, କୁସ୍ତି, ସମେତ ବର୍ଷର ଶ୍ରେଷ୍ଠ ଦଳ ଏବଂ ବର୍ଷର ଶ୍ରେଷ୍ଠ ଉଦୀୟମାନ କ୍ରୀଡ଼ାବିତ୍‌ ପୁରସ୍କାର ଲାଗି ସମ୍ଭାବ୍ୟ ତାଲିକା ପ୍ରସ୍ତୁତ କରାଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳାଳିଙ୍କ ପ୍ରଦର୍ଶନକୁ ଆଧାରକରି ପୁରସ୍କାର ଲାଗି ସମ୍ଭାବ୍ୟ ଖେଳାଳି ମନୋନୟନ କରାଯାଇଛି।

 ଆଥଲେଟ୍ ଭାବେ ଦୁତୀଚାନ୍ଦଙ୍କ ସମେତ ସ୍ୱପ୍ନା ବର୍ମନ, ହିମା ଦାସ, ଅର୍ପିନ୍ଦର ସିଂହ, ଜିନ୍‌ସନ ଜନ୍‌ସନ, ତେଜିନ୍ଦର ପାଲ ସିଂହ ତୁର୍, ମନଜିତ୍‌ ସିଂହ ଓ ନୀରଜ ଚୋପ୍ରା ପ୍ରମୁଖ ରହିଛନ୍ତି। ଦୂତି ଚାନ୍ଦ ଚଳିତ ବର୍ଷ ପ୍ରଥମ ଭାରତୀୟ ଭାବେ ବିଶ୍ୱ ବିଶ୍ୱବିଦ୍ୟାଳୟ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ବେଳେ ନିଜ ନାମରେ ପୂର୍ବରୁ ଥିବା ୧୦୦ ମିଟର ଦୌଡ଼ର ଜାତୀୟ ରେକର୍ଡକୁ ମଧ୍ୟ ଭଙ୍ଗ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେହିପରି ପାରା କ୍ରୀଡ଼ାରେ ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ସମେତ ନୀରବ ଯାଦବ, ଅଲିମ୍ପିକ୍‌ସ ପଦକ ବିଜେତା ଅମିତ ସାରେହା, ମାନସୀ ଯୋଶୀ, ଆନନ୍ଦନ ଗୁନସାକି, କେ. ଜିନ୍‌ଥୋ, ଆଣ୍ଟୋ ମୁୟାସ ଯାଦବ, ମନୀଷ ନରୱାଲ ପ୍ରମୁଖ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରମୋଦ ଚଳିତବର୍ଷ ୧୧ଟି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୦ଟି ସ୍ୱର୍ଣ୍ଣ ସହ ୧୧ଟି ପଦକ ବିଜୟୀ ହୋଇଛନ୍ତି। ଏଥିମଧ୍ୟରେ ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ରହିଛି। ଏଥିପାଇଁ ବିଡବ୍ଲୁଏଫ ବାର୍ଷିକ ପୁରସ୍କାର ସମ୍ଭାବ୍ୟ ମନୋନୟନରେ ପ୍ରମୋଦ ସ୍ଥାନ ପାଇଛନ୍ତି।

Leave a Reply

Your email address will not be published. Required fields are marked *