ଚୀନରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ। ଦିନକୁ ଦିନ କରୋନା ଭାଇରସ ଯୋଗୁ ସ୍ଥିତି ଅଧିକ ଜଟିଳ ଆଡ଼କୁ ଗତି କରୁଛି। କରୋନା ଆତଙ୍କରେ ବହୁ କମ୍ପାନୀରେ କାମ କରିବାକୁ କର୍ମଚାରୀ ନ ଆସିବାରୁ ତାଲା ଝୁଲୁଛି। ବହୁ ଔଷଧ କମ୍ପାନୀରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ଚାଇନାର ଔଷଧ କମ୍ପାନୀ ବନ୍ଦ ହେବା ଯୋଗୁ ଏହାର ପ୍ରଭାବ ଭାରତ ଉପରେ ପଡ଼ିଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତ ବିଭିନ୍ନ ମେଡ଼ିସିନ ତିଆରି କରିବାକୁ ଚାଇନାରୁ ୮୦ ପ୍ରତିଶତ ଆକ୍ଟିଭ୍ ଫାର୍ମସ୍ୟୁଟିକାଲ ଇଡ଼ଗ୍ରେଡିଏଣ୍ଟ ଆମଦାନୀ କରିଥାଏ। ଏହା ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ଚାଇନାରୁ ଆକ୍ଟିଭ୍ ଫାର୍ମସ୍ୟୁଟିକାଲ ଇଡ଼ଗ୍ରେଡିଏଣ୍ଟ ରପ୍ତାନୀ କରାଯିବାରେ ବାଧା ସୃଷ୍ଟି ହେବାରୁ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ନିକଟରେ ଏହାର ଅଭାବ ଦେଖାଦେଇଛି। ଫଳରେ ପାରାସିଟାମଲ୍ର ଦାମରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଏଜିଥ୍ରୋମାଇସିନ୍ର ଦାମ ୭୦ ପ୍ରତିଶତ ବଢ଼ିଛି। ଏଭଳି ସ୍ଥିତି ଲାଗି ରହିଲେ ଭାରତୀୟ ଔଷଧ କମ୍ପାନୀଗୁଡ଼ିକର ସାଧାରଣ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆସନ୍ତା କିଛି ସପ୍ତାହ ମଧ୍ୟରେ ପ୍ରଭାବିତ ହେବା ସହ ଔଷଧର ଦାମ ବୃଦ୍ଧି ପାଇବ।