ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ୨୦ ତାରିଖରେ ସ୍ଥଳଭାଗ ଛୁଇଁବ । ପାରାଦୀପ ଠାରୁ ପାଖାପାଖି ହଜାରେ କିଲୋମିଟର ଦୂରରେ ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି। ୧୭ ତାରିଖ ଅର୍ଥାତ ଆସନ୍ତା କାଲି ସଂଧ୍ୟାରେ ଆମ୍ଫାନ୍ ତା’ର ଗତି ପଥ ବଦଳାଇ ଓଡ଼ିଶା-ବେଙ୍ଗଲ ସୀମାବର୍ତ୍ତୀ ଅଂଚଳ ଆଡ଼କୁ ମୁହାଁଇବ ବୋଲି ଅନୁମାନ କରାଯାଉଛି । ଓଡ଼ିଶା ଉପକୂଳ ଦେଇ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ ବୋଲି ଅନେକ ଆକଳନ କରୁଛନ୍ତି। ଅନ୍ୟପଟେ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାର ୬୪୯ଟି ଗାଁର ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାତ୍ୟା ମୁକାବିଲା ନେଇ ସଚିବସ୍ତରୀୟ ପ୍ରସ୍ତୁତି ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଲକ୍ଷାଧିକ ହେକ୍ଟର ଜମିରେ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଇଛି । ତେଣୁ ଚାଷୀମାନେ ଏବେଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି । ପ୍ରଭାବିତ ଆଶଙ୍କା ଥିବା ୪୦୩ ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି । ଅଧିକ ସ୍ଥାନାନ୍ତର ପାଇଁ ବିକଳ୍ପ ଭାବେ କୋଠାଗୁଡ଼ିକ ଚିହ୍ନଟ ହୋଇଛି।