ଦିନକୁ ଶହ ଶହ ଲୋକଙ୍କୁ ମାରୁଛି କରୋନା:୮୫ ଭାରତୀୟ ବଞ୍ଚିବା ପାଇଁ ସରକାରଙ୍କୁ କଲେ ଗୁହାରୀ

ମହାମାରୀର ରୂପ ନେଲା କରୋନା ଭାଇରସ। କରୋନା ଭାଇରସ ଯୋଗୁ ବିଶ୍ୱରେ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲେଣି। ଏହାସହ ୮୮ ହଜାରରୁ ଅଧିକ ଲୋକ ଏହି ସଂକ୍ରମଣର ଶିକାର ହୋଇଛନ୍ତି। ଚୀନରେ ସର୍ବାଧିକ ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟ ସର୍ବାଧିକ ଇରାନରେ ମୃତ୍ୟୁ ହୋଇଛି। ଚୀନରେ ୮୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଦକ୍ଷିଣ କୋରିଆରେ ୩୭୩୬ ଜଣ, ଇଟାଲିରେ ୧୭୦୧ ଜଣ, ଇରାନରେ ୯୭୮ ଜଣ ସଂକ୍ରମିତ ହୋଇଛନ୍ତି। କରୋନା ଭାଇରସ ଏପର୍ଯ୍ୟନ୍ତ ବିଶ୍ୱର ୫୫ଟି ଦେଶକୁ ଛୁଇଁ ସାରିଲାଣି । ଆମେରିକା, ଥାଇଲାଣ୍ଡ, ତାଇୱାନ, ଅଷ୍ଟ୍ରେଲ୍ରିଆ ଓ ଫିଲିପାଇନ୍ସ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯାଉଥିଲେ ମଧ୍ୟ ଏହାକୁ ରୋକିବା ସମ୍ଭବ ହୋଇପାରୁନାହିଁ। ତେଣୁ କରୋନା ମହାମାରୀ ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ବୋଲି ସ୍ୱୀକରା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ।

ସେପଟେ କରୋନା ଭାଇରସ୍‌ ଏବେ ସାରା ବିଶ୍ୱକୁ ବିଚଳିତ କରିଦେଇଛି। ପ୍ରତ୍ୟେକ ଦିନ ଶହ ଶହ ଲୋକ ମରୁଛନ୍ତି। ହଜାର ହଜାର ନୂଆ ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ଏହାରି ଭିତରେ ଇଟାଲିରେ ଫସିଥିବା ୮୫ଜଣ ଭାରତୀୟ ଛାତ୍ର ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଗୁହାରୀ କରିଛନ୍ତି। ତୁରନ୍ତ ସ୍ଥାନାନ୍ତର ପାଇଁ ସେମାନେ ନିବେଦନ କରିଛନ୍ତି। ଇଟାଲିରେ ଏକ ସପ୍ତାହ ହେବ ଅଟକି ରହିଥିବା ପ୍ରାୟ ୮୫ଜଣ ଭାରତୀୟ ଛାତ୍ର ସରକାରଙ୍କୁ ଜରୁରୀ ବାର୍ତ୍ତା ପଠାଇଛନ୍ତି। କରୋନାଭାଇରସ୍‌ ସଂକ୍ରମଣ ଘଟି ଉତ୍ତର ଇଟାଲିର ଲୋମ୍ବାର୍ଡି ଅଞ୍ଚଳର ବିଶ୍ୱବିଦ୍ୟାଳୟ ନଗରୀ ପାଭିଆ ଠାରେ ୧୭ଜଣଙ୍କର ମୃତ୍ୟୁ ଘଟିଛି। ପାଭିଆରେ ଅଟକିଥିବା ଏହି ଛାତ୍ରମାନଙ୍କ ମଧ୍ୟରୁ କେତେକ ଭାରତ ଫେରିବା ଲାଗି ବିମାନ ଟିକେଟ୍‌ କରିଥିଲେ। କିନ୍ତୁ, ଇଟାଲିରେ କରୋନାଭାଇରସ୍‌ ସଂକ୍ରମଣ ପରେ ବିମାନକୁ ବାତିଲ କରିଦିଆଯାଇଛି।ୟୁନିଭର୍ସିଟି ଅଫ୍‌ ପାଭିଆ ଇଞ୍ଜିନିୟରିଙ୍ଗ୍‌ ବିଭାର ଜଣେ ଅଣଶିକ୍ଷକ କର୍ମଚାରୀ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଛାତ୍ରମାନେ ଆତଙ୍କିତ ହୋଇଯାଇଛନ୍ତି। ବିଶ୍ୱବିଦ୍ୟାଳୟର ଅନ୍ୟ ୧୫ଜଣ କର୍ମଚାରୀଙ୍କୁ ମଧ୍ୟ ପୃଥକ୍‌ ରଖାଯାଇଛି। ପାଭିଆରେ ଅଟକି ରହିଥିବା ୮୫ଜଣଙ୍କ ମଧ୍ୟରେ ଅଛନ୍ତି ତେଲେଙ୍ଗାନାର ୨୫ଜଣ, କର୍ଣ୍ଣାଟକର ୨୦ଜଣ, ତାମିଲନାଡୁର ୧୫ଜଣ, କେରଳର ୪ଜଣ, ଦିଲ୍ଲୀର ୨ଜଣ, ରାଜସ୍ଥାନ, ଗୁରୁଗ୍ରାମ ଓ ଡେରାଡୁନ୍‌ର ଜଣେ ଲେଖାଏଁ ଭାରତୀୟ ଛାତ୍ର।

Leave a Reply

Your email address will not be published. Required fields are marked *