ଲୋକ ସଭା ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସ ଏବେ ନିଜ ଅସ୍ଥିତ୍ୱ ହରାଇବା ସ୍ଥିତିକୁ ଆସିଯାଇଛି। ଦେଶରେ କଂଗ୍ରେସ ବଞ୍ଚିରହିବା ପାଇଁ ଦଳ ଏବେ କିଛି ବି କରିବା ପାଇଁ ପ୍ରସ୍ତୁତ। ସେଥିପାଇଁ ପକାଇଥିବା ଛେପ ଢୋକିବାକୁ ଯାଉଛି ଦେଶର ସର୍ବପୁରାତନ ଦଳ। ଏଠାରେ ବାମଦଳ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ପରେ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି କଂଗ୍ରେସ ଓ ବାମଦଳ। ପଶ୍ଚିମବଙ୍ଗରେ ହେବାକୁ ଯାଉଥିବା ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ-ବାମଦଳ ସହ ମେଣ୍ଟ କରିବାକୁ ଯାଉଛି। ଏଥିପାଇଁ କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁଜ ସଙ୍କେତ ଦେଇଛନ୍ତି। ଭାଜପାକୁ ରୋକିବା ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ସବୁ ପ୍ରକାର ପ୍ରୟାସ ଜାରି ରଖିଥିବା ବେଳେ ଏବେ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ହେଲେ ସିଧାସଳକ ବିଜେପିକୁ ପଶ୍ଚିମବଙ୍ଗରେ ଅଧିକ ଲାଭବାନ କରିବ ବୋଲି କୁହାଯାଉଛି। ଏପରି ସ୍ଥିତିରେ ମମତାଙ୍କ ପାଇଁ ବଢ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।