ଆମେରିକା ଓ ଭାରତ ଠାରୁ ବିପଦ ଆଶଙ୍କା,ସେନାକୁ ପ୍ରସ୍ତୁତ ହେବାକୁ ଆଦେଶ ଦେଲେ ଚୀନ ରାଷ୍ଟ୍ରପତି

ଭାରତ ସହ ସୀମା ବିବାଦ ଓ ଆମେରିକା ସହିତ କରୋନା ଭାଇରସ ନେଇ ଚାଲିଥିବା ଦ୍ୱନ୍ଦ ମଧ୍ୟରେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଏକ ବଡ ବୟାନ ଜାରି କରିଛନ୍ତି। ଚୀନ୍‌ ରାଷ୍ଟ୍ରପତି ସୈନ୍ୟବାହିନୀ କଡା ଟ୍ରେନିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଯୁଦ୍ଧ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସେପଟେ ଚୀନ୍‌ର ହରକତ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକରେ ଚୀନ୍ ସହ ଚାଲିଥିବା ଷ୍ଟାଣ୍ଡ-ଅଫ୍ ଉପରେ ଆଲୋଚନା କରିଛନ୍ତି। ଏଥିରେ ତିନିଜଣ ସେନା ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚଫ୍ ଅପ୍ ଡିଭେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ଉପସ୍ଥିତ ଥିଲେ। ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି। ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ଉପୁଜିଥିବା ସ୍ଥିତି ସଂପର୍କରେ ଏଥିରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ବୈଠକ ଚାଲିଥିଲା। ସ୍ଥଳ ସେନା ମୁଖ୍ୟ ଏମ୍ .ଏମ୍.ନରୱାଣେ ସ୍ଥିତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଚୀନ୍ ସହିତ କୂଟନୈତିକ ଆଲୋଚନା ଜାରି ରହିବ, କିନ୍ତୁ ସୀମାରେ ଭାରତ ତାର ଅଧିକାରରେ କୌଣସି ପ୍ରକାରର ବୁଝାମଣା କରିବ ନାହିଁ। ସେହିପରି ସୀମାରେ ରାସ୍ତା ନିର୍ମାଣ କାମ ମଧ୍ୟ ଜାରି ରହିବ। ପୂର୍ବ ଲଦାଖରେ ଭାରତ ଏବଂ ଚୀନର ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ସ୍ଥିତି ପରେ ଉଭୟ ପକ୍ଷ ମଧ୍ୟରେ ୬ରୁ ଅଧିକ ଥର ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *