ଭାରତ ସହ ବିବାଦ ଏବେ ଚୀନ ପାଇଁ ଚିନ୍ତାର କାରଣ ପାଲଟିଛି। ବର୍ତ୍ତମାନ ସ୍ଥିତିତିରେ ଭାରତ ଓ ଆମେରିକାର ବନ୍ଧୁତ୍ୱ ଆଗାମୀ ଦିନରେ ବିଶ୍ୱର ସାମରିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନ ଆସିବା ନେଇ ଚୀନ ଆଶଙ୍କା କରୁଛି। ଯାହାକୁ ନେଇ ଚୀନ ଚିନ୍ତିତ ଓ ବିବ୍ରତ ହୋଇପଡ଼ିଛି। ଚୀନ ପକ୍ଷରୁ ବୁଧବାରଦିନ କୁହାଯାଇଛି ଯେ ଭାରତ ଅନ୍ତର୍ଜାତୀୟ ସ୍ତରରେ ନିଜର ଗୋଷ୍ଠୀ ନିରପେକ୍ଷତା ବଜାୟ ରଖିବା ଆଶା କରାଯାଉଛି। ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ଵାଙ୍ଗ ୱେନବିନ କହିଛନ୍ତି ଯେ ଏକ ବହୁମୁଖୀ ବିଶ୍ୱ ବ୍ୟବସ୍ଥାରେ ଭାରତ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଛି। ପୂର୍ବ ଭଳି ଭାରତ ନିଜର ନିରପେକ୍ଷ ବୈଦେଶିକ ନୀତି ଜାରି ରଖିବା ଆଶା ଓ ବିଶ୍ୱାସ କରାଯାଉଛି। ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରର ଏକ କଡ଼ା ମନ୍ତବ୍ୟ ପରେ ଚୀନ ପକ୍ଷରୁ ଏହା କୁହାଯାଇଛି। ଗତକାଲି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରର କହିଥିଲେ ଯେ ଭାରତ ପୂର୍ବଭଳି କୌଣସି ଶିବିରରେ ସାମିଲ ହେବ ନାହିଁ। କିନ୍ତୁ ଗୋଷ୍ଠୀ ନିରପେକ୍ଷତା ଏକ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ ଥିଲା ଓ ଭାରତ ସବୁବେଳେ ନିରପେକ୍ଷ ରହିବା ଆଶା କରାଯାଇପାରିବ ନାହିଁ। ଏହି ମନ୍ତବ୍ୟ ଚୀନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତ ଜୁନ ମାସରେ ଲଦାଖର ଗଲଓ୍ଵାନଠାରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ଚୀନର ମଧ୍ୟ ଏକାଧିକ ସୈନ୍ୟ ନିହତ ହୋଇଥିଲେ। ଏହା ପରେ ଭାରତ ନିଜ ଚୀନ ନୀତିରେ ବଡ଼ ପରିବର୍ତ୍ତନ ଆଣିଛି।