ଆଇନକ୍ସ ସୋଲାରର ସୋଲାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

୪ ହଜାର କୋଟିର ନିବେଶ, ସୃଷ୍ଟି ହେବ ୩୪ଶହ ନିଯୁକ୍ତି

ଭୁବନେଶ୍ବର, ୪।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଢେଙ୍କାନାଳ ଠାରେ ଆଇନକ୍ସ ସୋଲାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଇନକ୍ସ କ୍ଲିନ୍‌ର ଏକ ସହାୟକ କମ୍ପାନୀ ଓ ଆଇନକ୍ସ ଜିଏଫଏଲର ଏକ ଅଂଶ ଭାବେ ଏହି କମ୍ପାନୀ ୪ ହଜାର କୋଟି ଟଙ୍କା ବ୍ୟୟରେ ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଏଥିରେ ୩ ହଜାର ୪ ଶହ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାହା ଭାରତରେ ସବୁଜ ଶକ୍ତି ଉତ୍ପାଦନରେ ଆଇନକ୍ସ ସୋଲାର ଏକ ମାଇଲ୍ ଖୁଣ୍ଟ ହେବ । ସ୍ଥାୟୀ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଉତ୍ପାଦନରେ ରାଜ୍ୟ ଅଗ୍ରଣୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ଏହା ଓଡ଼ିଶାର ଶିଳ୍ପ ଦୃଶ୍ୟପଟ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଆଇନକ୍ସ ସୋଲାର ପ୍ରକଳ୍ପ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଆହୁରି ନିବେଶ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବ। ଶକ୍ତିକେନ୍ଦ୍ର ଭାବରେ ଓଡ଼ିଶାର ଗୌରବ ବଢାଇବ ବୋଲି କହିଥିଲେ । ଅନ୍ୟତମ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଗଁଦିଆ ବ୍ଳକ ଅଧ୍ୟକ୍ଷା ରୀନାରାଣୀ ଖଟୁଆଙ୍କ ସମେତ ଆଇନକ୍ସଗେଲ୍ ଗୃପର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଆଇନକ୍ସଲ୍ ଗୃପର ଏକଜିକ୍ୟୁଟିଭ୍ ଡାଇରେକ୍ଟର ଦେବାଂଶ ଜୈନ କହିଛନ୍ତି, ଏହି ଭିତ୍ତିପ୍ରସ୍ତର ସ୍ଥାପନ କେବଳ ଏକ ପ୍ରକଳ୍ପର ଆରମ୍ଭ ନୁହେଁ, ବରଂ ଓଡ଼ିଶା ତଥା ଭାରତର ନବୀକରଣୀୟ ଶକ୍ତିର ଭବିଷ୍ୟତ ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରାର ଆରମ୍ଭ । ଓଡ଼ିଶା ସରକାରଙ୍କ ସମର୍ଥନ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି । ଆଇନକ୍ସ ଜିଏଫଏଲ ଗୃପର ସିଇଓ କୈଳାଶ ତାରାଚନ୍ଦାନୀ ଏହି ପ୍ରକଳ୍ପ ଭାରତର ସୌର ଆତ୍ମନିର୍ଭରଶୀଳତା ଏବଂ ଶକ୍ତି ସୁରକ୍ଷା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ ବୋଲି କହିଛନ୍ତି । ଆଇନକ୍ସ ଜିଏଫଏଲ୍ ଗୃପର ସଭାପତି ସନ୍ତୋଷ ଖୈନାର ସୌର ଶକ୍ତି ଉତ୍ପାଦନ ପାଇଁ ଓଡିଶାରେ ଭଲ ପରିବେଶ ରହିଛି ବୋଲି କହିଛନ୍ତି । ଯାହା ରାଜ୍ୟର ଅର୍ଥନୈତିକ ବିକାଶରେ ଯୋଗଦାନ ଦେବାର ଲକ୍ଷ୍ୟ ରହିଛି ବୋଲି ମତ ଦେଇଛନ୍ତି । ସେହିପରି ଆଇନକ୍ସ ସୋଲାରର ସିଇଓ ଦେବେଶ ଶର୍ମା ଆଲାକପାତ କରିଛନ୍ତି ଏହି ସୋଲାର ପ୍ରକଳ୍ପ ନବସୃଜନ ଏବଂ ଗୁଣବତ୍ତାର ଏକ କେନ୍ଦ୍ର ହେବ। ସ୍ଥାୟୀତ୍ବ, ଉନ୍ନତ ପ୍ରଯୁକ୍ତିବିଦ୍ୟା ଏବଂ ଏକ ଦକ୍ଷ କର୍ମଶକ୍ତି ନିର୍ମାଣକୁ ଗୁରୁତ୍ବ ଦିଆଯିବ । ଆଇନକ୍ସ ଜିଏଫଏଲ୍ ଗୃପ ଏଚ୍ଆର ବିଜିନେସ୍ ପାର୍ଟନର ଶୈଳେନ୍ଦ୍ର ଟଣ୍ଡନ ଭିଭିଭୂମି ବ୍ୟତୀତ, ଏହି ପ୍ରକଳ୍ପରେ ସ୍ଥାନୀୟ ଲୋକଙ୍କୁ ହିଁ ପ୍ରାଥମିକତା ଦିଆଯିବା ସହ ବଡ କର୍ମକ୍ଷେତ୍ର ସୃଷ୍ଟି କରିବାର ଲକ୍ଷ୍ୟ ରହିଥିବା କହିଛନ୍ତି । ଏହି ପ୍ରକଳ୍ପ ଭାରତର ସ୍ଵଚ୍ଛ ଶକ୍ତି ମିଶନକୁ ଆଗକୁ ବଢ଼ାଇବା ଏବଂ ମେକଇନଇଣ୍ଡିଆ ସୌର ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶାକୁ ଏକ ପ୍ରମୁଖ ନବୀକରଣୀୟ ଶକ୍ତି ଉତ୍ପାଦନ କେନ୍ଦ୍ର ଭାବରେ ସ୍ଥାନିତ କରିବାକୁ ଗୁରୁତ୍ବ ଦିଆଯାଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *