ଜେରା ପାଇଁ ୫ ଦିନିଆ ସିବିଆଇ ରିମାଣ୍ଡରେ ଗଲେ ଚିଦାମ୍ବରମ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଶକ୍ତ ଝଟକା। ପି. ଚିଦାମ୍ବରମଙ୍କୁ ବହୁଚର୍ଚ୍ଚିତ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି। ବୁଧବାର ରାତିରେ ଗିରଫ ହୋଇଥିବା ଚିଦାମ୍ବରମଙ୍କୁ ସ୍ୱତନ୍ତ୍ର ଅଦାଲତ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହାଜତରେ ରଖି ଜେରା କରିବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି। ଏହି ସମୟରେ ଚିଦାମ୍ବରମଙ୍କ ଓକିଲ ଓ ପରିବାର ଲୋକେ ହାଜତରେ ଚିଦାମ୍ବରଙ୍କୁ ଦିନକୁ 30 ମିନିଟ୍ ଭେଟି ପାରିବେ ବୋଲି କୋର୍ଟ କହିଛନ୍ତି। ତଦନ୍ତରେ ସହାୟତା କରୁ ନଥିବା ଦର୍ଶାଇ ଅଭିଯୁକ୍ତ ପି ଚିଦମ୍ବରମ୍‌ଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡକୁ ନେଇ ହାଜତ ଜେରା କରିବା ପାଇଁ ଆବେଦନ କରିଥିଲା। ଅଦାଲତରେ ଚିଦମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂହଭୀ ମାମଲା ପରିଚାଳନା କରିଥିବା ବେଳେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ। ଚିଦାମ୍ବରମଙ୍କୁ ଆଶା ଥିଲା ଯେ ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂହଭୀ ତାଙ୍କୁ ଜାମିନ କରାଇଦେବେ। ହେଲେ ଶେଷରେ ଜେନେରାଲ ତୁଷାର ମେହେଟ୍ଟାଙ୍କ ସାମ୍ନାରେ ହାର୍ ମାନିଲେ ଏହି ଦୁଇ ବରିଷ୍ଠ ଓକିଲ।

Leave a Reply

Your email address will not be published. Required fields are marked *