ଦୁଇ ଦିନର ହାଇଡ୍ରାମା ପରେ ଗିରଫ ହେଲେ ଚିଦାମ୍ବରମ। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ଗିରଫ ହୋଇଛନ୍ତି ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ। ଚିଦାମ୍ବରମ ଗିରଫ ହେବା ପରେ ସିବିଆଇ ହେଡ୍ କ୍ୱାର୍ଟରରେ ରାତି କାଟିଛନ୍ତି। ଯେଉଁ ସିବିଆଇ ହେଡ୍ କ୍ୱାର୍ଟରକୁ ସେ ତିଆରି କରିଥିଲେ ଏବଂ ଉଦଘାଟନ କରିଥିଲେ ସେଠାରେ ହିଁ ଗିରଫ ହୋଇ ରାତିସାରା ସିବିଆଇ ଅଧିକାରୀଙ୍କ ଜେରାର ସମ୍ମୁଖୀନ ହୋଇଛନ୍ତି ଚିଦାମ୍ବରମ। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିବା ପରେ ଚିଦାମ୍ବରମ ହଠାତ୍ କୁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଆଶାଥିଲା ତାଙ୍କୁ ସୁପ୍ରମିକୋର୍ଟରୁ ଜାମିନ ମିଳିବ। ହେଲେ ସୁପ୍ରିମକୋର୍ଟ ଶୀଘ୍ରଶୁଣାଣି କରିବାକୁ ମନାକରିଦେବାରୁ ଚିଦାମ୍ବରମଙ୍କ ସବୁ ଆଶା ମଉଳିଯାଇଥିଲା। ଶେଷରେ ନିରାଶ ହୋଇ କଂଗ୍ରେସ କାର୍ଯ୍ୟାଳୟ ଯାଇ ଏକ ଖବରଦାତା ସମ୍ମିଳନୀରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ପି.ଚିଦାମ୍ବରମ। ଏହାପରେ ସିବିଆଇ ଟିମ୍ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚଥିଲେ ମଧ୍ୟ ଦଳୀୟ କର୍ମୀମାନଙ୍କ ବିରୋଧ ଯୋଗୁ ଭିତରେ ପଶିପାରି ନ ଥିଲା। ଚିଦାମ୍ବରମ ତାଙ୍କ ବାସଭବନକୁ ଫେରିଯିବା ପରେ ସିବିଆଇର ୩ଟି ଟିମ୍ ସମେତ ଇଡି ଟିମ୍ ସେଠାରେ ପହଞ୍ଚଥିଲେ। ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ଜେରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।