କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଆକ୍ରମଣ, ପୋଲିସ ଫୋର୍ସ ନେଇ ରାଜ୍ୟପାଲ କଲେ ଉଦ୍ଧାର

ପଶ୍ଚିମବଙ୍ଗର ଯାଦବପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଏକ ଗୋଷ୍ଠୀ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କୁ ଘେରାଉ କରିବା ସହ ଆକ୍ରମଣ କରିଛନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପାଇଁ ବିଶ୍ଵ ବିଦ୍ୟାଳୟରେ ପହଞ୍ଚିଥିଲେ ମନ୍ତ୍ରୀ ବାବୁଲ ସୁପ୍ରିୟୋ। ଏହି କାର୍ଯ୍ୟକ୍ରମ ସମୟରେ ବାମପନ୍ଥୀ ଛାତ୍ର ସଂଗଠନ ବାବୁଲ ସୁପ୍ରିୟୋଙ୍କ ବିରୋଧରେ ନାରାବାଜି କରିଥିଲେ ଏବଂ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ସୁପ୍ରିୟୋଙ୍କୁ କ୍ୟାମ୍ପସ ଭିତରକୁ ପ୍ରବେଶ କରିବାକୁ ରୋକି ଥିଲେ। ପରିସ୍ଥିତି ଏପରି ହେଲା ଯେ ରାଜ୍ୟପାଳ ଶେଷରେ ପୋଲିସ ଫୋର୍ସ ସହିତ ବିଶ୍ୱବିଦ୍ୟାଳୟ ଯାଇ ମନ୍ତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ରାଜ୍ୟପାଳଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟରେ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଏହାକୁ ନେଇ ରାଜ୍ୟପାଳ ଓ ମମତା ସରକାର ମୁହାଁମୁହିଁ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟୁଥିବା ବେଳେ ପଶ୍ଚିମବଙ୍ଗରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *