୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ଚମକିବେ ସୁନ୍ଦରଗଡ଼ର ସୁନା ଝିଅ ମଞ୍ଜୁ

୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପରେ ଚମକିବେ ମଞ୍ଜୁ। ସୁନ୍ଦରଗଡ଼ର ଏହି କୁନି ଝିଅ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପରେ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜ ପ୍ରତିଭା ବଳରେ ସେ ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେ ଜୋରଦାର ଉଦ୍ୟମ ମଧ୍ୟ ଚଲାଇଛନ୍ତି। ୧୭ ବର୍ଷରୁ କମ୍ ଭାରତୀୟ ଫୁଟବଲ୍ ଦଳର ନୂଆ ସମ୍ଭାବନା ଓଡ଼ିଶାର ମଞ୍ଜୁ ଗଞ୍ଜୁଙ୍କ ପାଇଁ ଏହା ହେବ ଏକ ସୂବର୍ଣ୍ଣ ସୁଯୋଗ। କାରଣ ତାଙ୍କୁ ପ୍ରଥମ ଥର ପାଇଁ ଫିଫା ବିଶ୍ୱକପ ଭଳି ଏତେବଡ଼ ପ୍ରତିଯୋଗିତାରେ ଖେଳିବାକୁ ସୁଯୋଗ ମିଳିପାରେ। ୨୦୨୧ ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୭ ଯାଏଁ ଭାରତରେ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଖେଳାଯିବାକୁ ଯାଉଛି। ଫିଫା ବିଶ୍ୱକପର ଅନ୍ୟତମ ଭେନ୍ୟୁ ହୋଇଥିବା କଳିଙ୍ଗ ଷ୍ଟାଡ଼ିୟମରେ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ବ୍ୟତୀତ ୬ଟି ଗ୍ରୁପ ମ୍ୟାଚ ଖେଳାଯିବ। ଗ୍ରୁପ ଏ’ରେ ଗୋଟିଏ ଓ ଗ୍ରୁପ ବି’ରେ  ୫ଟି ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ। ଘରୋଇ ଦର୍ଶକଙ୍କ ଗହଣରେ ବିଶ୍ୱକପ ଖେଳି ନିଜ ଦେଶ ପାଇଁ କିଛି ନୂଆ କରିବାକୁ ସ୍ୱପ୍ନ ଦେଖିଛନ୍ତି ମଞ୍ଜୁ।

ପୂର୍ବରୁ ୨୦୧୭ ମସିହାରେ ୧୪ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ ଥିଲେ ମଞ୍ଜୁ। ୨୦୦୬ରେ ସେ ପ୍ରଥମ ଥର ଲାଗି ବ୍ଲକ ସ୍ତରୀୟ କ୍ରିଡା ପ୍ରତିଭା ଚୟନ ଶିବରରେ ସାମିଲ ହୋଇ, ଲୋକଲୋଚନକୁ ଆସିଥିଲେ। କିଛି ଦିନ ପୂର୍ବେ ଫିଫା ବିଶ୍ୱକପ୍ ଖେଳାଳି ଚୟନ ତାଲିକାର ପ୍ରଥମ ଗୋଲକିପର ଭାବେ ସେ ଚୟନ ଶିବରକୁ ଡାକରା ପାଇଥିଲେ ।

Leave a Reply

Your email address will not be published. Required fields are marked *