ଦେଶରେ ନାଗରିକତା ସଂଶୋଧନ ଆଇନ ସହ ଆସାମରେ ଏନଆରସି ଲାଗୁ ହେବା ପରେ ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଅନେକ ବାଂଲାଦେଶୀ ନାଗରିକ ଏବେ ଦେଶ ଛାଡ଼ି ନିଜ ଦେଶକୁ ଫେରିଯାଉଥିବା ଖବର ସମ୍ନାକୁ ଆସିଛି। ଗତ ନଭେମ୍ବର ଓ ଡିସେମ୍ବର ମାସରେ ପ୍ରାୟ ୪୪୫ ଜଣ ବାଂଲାଦେଶୀ ନିଜ ଦେଶକୁ ଫେରିଯାଇଥିବା ବାଂଲାଦେଶର ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ୨୦୧୯ରେ ଭାରତରୁ ଫେରୁଥିବା ପ୍ରାୟ ୧୦୦୦ ବାଂଲାଦେଶୀଙ୍କୁ ବାଂଲାଦେଶ ସୁରକ୍ଷା ବାହିନୀ ପକ୍ଷରୁ ଚିହ୍ନଟ କରାଯାଇଛି । କେବଳ ନଭେମ୍ବର ଓ ଡିସେମ୍ବର ମାସରେ ୪୪୫ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଜେରା କରିବା ପରେ ଜଣାପଡ଼ିଛି ଯେ ସେମାନେ ବାଂଲାଦେଶର ନାଗରିକ ଓ ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିଲେ।
ଏକ ରିପୋର୍ଟରେ ଜଣାପଡ଼ିଛି ଯେ, ଭାରତର ବିଭିନ୍ନ ରାଜ୍ୟରେ କର୍ମସଂସ୍ଥାନ ପାଇଁ ବାଂଲାଦେଶୀମାନେ ବେଆଇନ ଭାବେ ଅନୁପ୍ରବେଶ କରିଆସୁଥିଲେ। ଗତ କିଛି ଦଶନ୍ଧୀ ଧରି ଏହି ଧାରା ଜାରି ରହିଥିଲା କିନ୍ତୁ ଗତବର୍ଷ ଆସାମରେ ଜାତୀୟ ଜନସଂଖ୍ୟା ରେଜିଷ୍ଟର ଲାଗୁହେବା ପରେ ବେଆଇନ ବାଂଲାଦେଶୀ ଶରଣାର୍ଥୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ନିକଟରେ ନୂଆ ନାଗରିକତା ସଂଶୋଧନ ଆଇନ ଲାଗୁ ହେବା ପରେ ସେମାନଙ୍କ ଭୟ ଅନେକ ବଢିଯାଇଛି । ସେମାନେ ଭାରତରେ ରହିବାକୁ ଆଉ ସୁରକ୍ଷିତ ମନେକରୁନାହାନ୍ତି ।