କିଛି ଦିନର ଶାନ୍ତି ପରେ ପୁଣି ଅଶାନ୍ତ ହୋଇପଡିଛି ପଶ୍ଚିମବଙ୍ଗ। ଗତକାଲି ବିଜେପି ସାଂସଦ ଅର୍ଜୁନ ସିଂହଙ୍କୁ ମାରଣାତ୍ମକ ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳ 6ରୁ ସନ୍ଧ୍ୟା 6 ଯାଏ ଏହି ବନ୍ଦ ରହିବ। ରବିବାର ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲାରେ ଟିଏମସି କର୍ମୀମାନେ ଭାଜପା ଏମ୍ପି ଅର୍ଜୁନ ସିଂହଙ୍କ ଗାଡ଼ି ଭଙ୍ଗାରୁଜା କରି ତାଙ୍କ ଉପରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର କର୍ମୀ ଏବଂ ପୋଲିସ ତାଙ୍କ ଉପରେ ଏଭଳି ଆକ୍ରମଣ କରିଛନ୍ତି ବୋଲି ଅର୍ଜୁନ ସିଂହ ଅଭିଯୋଗ କରିଛନ୍ତି। ଭାଜପାର ଶ୍ୟାମନଗର କାର୍ଯ୍ୟାଳୟକୁ ଟିଏମସି ଦଖଲ କରିନେଇଥିବାରୁ ଏହାକୁ ମୁକ୍ତ କରିବା ପାଇଁ ଦଳର କିଛି ନେତା ବିକ୍ଷୋଭ କରୁଥିଲାବେଳେ ପୋଲିସ ସେମାନଙ୍କ ଉପରକୁ ଲାଠିଚାର୍ଜ କରିଥିଲା। ବାରାକପୋର୍ ପୋଲିସ କମିଶନର ମନୋଜ ବର୍ମାଙ୍କ ଆକ୍ରମଣରେ ସେ ଆହତ ହୋଇଥିବା ଅର୍ଜୁନ ସିଂହ କହିଛନ୍ତି।