ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ବୁଧବାର ବିଶ୍ୱଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ହାଇକୋର୍ଟ କାର୍ଯ୍ୟନିର୍ବାହୀ ବିଚାରପତି ସି. ପ୍ରବୀନ୍ କୁମାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ଏବଂ ତାଙ୍କ କ୍ୟାବିନେଟ୍ ସଦସ୍ୟ ଉପସ୍ଥିତ ଥିଲେ। ଗତ ୧୬ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିବା ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ବିଶ୍ୱଭୂଷଣ ହରିଚନ୍ଦନ ଚିଲିକା ଏବଂ ଭୁବନେଶ୍ୱରରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ୨ ଥର ଜନତା ଦଳରୁ ଏବଂ ୩ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ସେ ରାଜସ୍ୱ ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।