ଭୁବନେଶ୍ୱରକୁ କ୍ରୀଡା ରାଜଧାନୀ ଭାବେ ବିଶ୍ବସ୍ତରରେ ପରିଚିତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ରାଜ୍ୟରେ ନିର୍ଦ୍ଧିଷ୍ଟ କ୍ରୀଡା ନୀତି ନାହିଁ । ଏହାକୁ ନେଇ ଆଜି ଉଭୟ ଶାସକ ଓ ବିରୋଧୀ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ।
ପ୍ରଶ୍ନକାଳରେ ବିଜେଡି ବିଧାୟକ ଭୁପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ରାଜ୍ୟର କ୍ରୀଡ଼ା ନୀତି ନାହିଁ । କିନ୍ତୁ ଜାତୀୟ କ୍ରୀଡା ନୀତି ୨୦୦୧ ଆଧାରରେ ବିଭିନ୍ନ କ୍ରୀଡ଼ାର ବିକାଶ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ ପାଇଁ ଅନୁଦାନ ଦିଆଯାଉଛି । ସେହିଭଳି କେନ୍ଦ୍ର ସରକାର ମଧ୍ୟ କୌଣସି ରାଜ୍ୟ କ୍ରୀଡା ସଂଘକୁ ରାଜ୍ୟ ସ୍ତରୀୟ କ୍ରୀଡ଼ାର ଆୟୋଜନ ପାଇଁ ଆର୍ଥିକ ସହାୟତା ଦେଇନାହାନ୍ତି । ରାଜ୍ୟ ସରକାର ଖୁବଶୀଘ୍ର ଏକ ନୀତି ପ୍ରଣୟନ କରିବେ । ଏନେଇ ଚିଠା ପ୍ରସ୍ତୁତ ହେଉଛି ବୋଲି କ୍ରୀଡାମନ୍ତ୍ରୀ କହିଛନ୍ତି ।
ତେବେ ରାଜ୍ୟ ସରକାର ୪୦ଟି ରାଜ୍ୟ କ୍ରୀଡାକୁ ସ୍ୱୀକୃତି ଦେଇଛନ୍ତି । କ୍ରୀଡା ନୀତି ଭଳି ରାଜ୍ୟରେ କେତେ କ୍ରୀଡ଼ାବିତ ଅଛନ୍ତି ତାର ମଧ୍ୟ କୌଣସି ସର୍ଭେ ହୋଇନି । ତେବେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭାଗ ନେଇଥିବା ୯୬ ଜଣ କ୍ରୀଡ଼ାବିତଙ୍କୁ ଗୃହ ବିଭାଗର ଏକ ସଂକଳନ ଆଧାରରେ ନିଯୁକ୍ତି ଦିଆଯାଇଛି ।