କାଳୀପୂଜା ପାଇଁ ଭଦ୍ରକ ସହର ଚଳଚଞ୍ଚଳ। ମା’ ଭଦ୍ରକାଳୀଙ୍କ ପୀଠ ସହ ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମା’ କାଳୀ। ରବିବାର ମଧ୍ୟରାତ୍ରରୁ ରୀତିନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି। ଭଦ୍ରକର ଐତିହାସିକ କାଳିପୂଜା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଭଦ୍ରକ। ତେବେ ଗତକାଲି ମଧ୍ୟରାତ୍ରୀରୁ ପୂଜା ପାଇଥିବା ମା’କାଳୀ ୧୦ ଦିନ ଧରି ବିଭିନ୍ନ ମଣ୍ଡପରେ ପୂଜା ପାଇବେ। କାଳିପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ହେଲେ ପଥର କାଳୀଙ୍କ ପୀଠଟି ସର୍ବପୂରାତନ ଓ ଏହାର ଏକ ମାହାତ୍ମ୍ୟ ରହିଛି। ୧୯୩୮ ମସିହାରୁ ଏଠାରେ ମା’କାଳୀଙ୍କ ପଥର ନିର୍ମିତ୍ତ ମୂର୍ତ୍ତି ପୂଜା କରାଯାଇଆସୁଅଛି। କାଳୀପୂଜା ସମୟରେ ଏଠାରେ ଘଟ ଉତ୍ଥାପନ କରାଯାଇ ପାର୍ଶ୍ଵମୂର୍ତ୍ତିଙ୍କୁ ପୂଜା କରାଯିବା ସହ ବିସର୍ଜନ କରାଯାଇଥାଏ। ଭଦ୍ରକାଳୀ ପୀଠରୁ ଆଜ୍ଞାମାଳ ନିଆଯାଇ ବିଭିନ୍ନ ମଣ୍ଡପରେ ମା’ ପୂଜା ପାଇଆସୁଛନ୍ତି।
ସେପଟେ କେବଳ ଭଦ୍ରକ ସହରରେ ଏବେ କାଳୀପୂଜା ସୀମିତ ହୋଇ ରହିନାହିଁ। ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ଏବେ ବେଶ ଧୁମଧାମରେ କାଳୀପୂଜା ପାଳନ କରାଯାଉଛି। ଭଦ୍ରକ ସହର ଭଳି ଚାନ୍ଦବାଲିରେ ମଧ୍ୟ କାଳୀପୂଜା ବେଶ ଆକର୍ଷଣୀୟ ହୋଇଛି। ଏଠାରେ ଶହ ଶହ ଦୋକାନ ବଜାର ପଡିବା ସହ ମୀନାବଜାର,ରାମଦୋଳି, ବ୍ରେକ୍ ଡ୍ୟାନ୍ସ ଲୋକଙ୍କୁ ଆକର୍ଷିତ କରୁଛି। ସେହପରି ତିହିଡ଼ିର ଶ୍ୟାମାକାଳୀ ପୀଠରେ ମା’ପୂଜା ପାଉଛନ୍ତି। ଆଖପାଖ ଆଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମା କାଳୀଙ୍କ ଦର୍ଶନ ପାଇଁ ଛୁଟିଆସୁଛନ୍ତି। କେବଳ ଏତିକି ନୁହେଁ ବାସୁଦେବପୁର, ଭଣ୍ଡାରିପୋଖରୀ, ବନ୍ତରେ ମଧ୍ୟ କାଳୀପୂଜା ବେଶ୍ ଧୁମଧାମରେ ଅନୁଷ୍ଠିତ ହେଉଛି। କାଳୀପୂଜା ସମୟେର ରାଜ୍ୟ ତଥା ରାଜ୍ୟ ବାହରରୁ ଅନେକ ବ୍ୟବସାୟୀ ଭଦ୍ରକ ଆସି ନିଜ ପସରା ମେଲାଇ ବସିଛନ୍ତି।
ସନ୍ଧ୍ୟା ହେଲେ ବିଭିନ୍ନ ପୂଜା ମଣ୍ଡପରେ ଭିଡି ଜମୁଛି। ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ଘରକରଣା ଜିନିଷ କିଣାକିଣିରେ ବ୍ୟସ୍ତ ରହୁଛନ୍ତି। ଏହାସହ ରାମ ଦୋଳିରେ ,ମୀନା ବଜାରର ମଜା ଉଠାଇଛନ୍ତି। ହେଲେ କାଳିପୂଜାର ମୁଖ୍ୟ ଆକର୍ଷଣ କିନ୍ତୁ ଅପେରା। ବିଭିନ୍ନ ପୂଜା ମଣ୍ଡପରେ ଏଥର ଏକାଧିକ ଯାତ୍ରା ପାର୍ଟି ନାଟକ ପରିବେଷଣ କରୁଛନ୍ତି।
ଭଦ୍ରକ ସହରରେ ଏକା ସଙ୍ଗରେ ବିଭିନ୍ନ ପୂଜା ମଣ୍ଡପ ନିକଟରେ 3ଟି ଯାତ୍ରା ପାର୍ଟି ଯାତ୍ରା ପରବେଷଣ କରୁଥିବା ବେଳେ ଏହି ଯାତ୍ରା ଦଳ ଯାତ୍ରା ସମାପ୍ତ କରି ଗଲେ ସେହି ସ୍ଥାନରେ ଆଉ ତିନିଟି ଯାତ୍ରା ଦଳ ଆସି ନାଟକ ପରିବେଶଣ କରିବେ। ସେପଟେ ଚାନ୍ଦବାଲିରେ ଆଜିଠୁ ବିଭିନ୍ନ ଯାତ୍ରା ଦଳ 10 ଦୀନ ଧରି ଯାତ୍ରା ପରିବେଷଣ କରିବେ। ତିହିଡ଼ିରେ ମଧ୍ୟ ରାତି ଯାତ୍ର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଜିଲ୍ଲାର ଅନ୍ୟ ପୂଜା ମଣ୍ଡପରେ ଯାତ୍ରା ଦେଖିବାକୁ ଲୋକଙ୍କ ମଧ୍ୟ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।