ଅର୍ଥତତ୍ଵ ଚିଟଫଣ୍ଡ ମାମଲାରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ ହେବା ପରେ ତାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦେବାକୁ ଆଶୀର୍ବାଦ କରିଥିବା ଆବେଦନକୁ ଖାରଜ କରିଛନ୍ତି ଭୁବନେଶ୍ଵର ସିବିଆଇ କୋର୍ଟ। ତାଙ୍କ ସହିତ କମଳାକାନ୍ତ ଦାସଙ୍କ ଜାମିନ ମଧ୍ୟ ଖାରଜ ହୋଇଛି। ଫଳରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି।ଗିରଫ ପରେ ଆଶୀର୍ବାଦ ଓ କମଳାକାନ୍ତ ଦାସଙ୍କୁ ଭୁବନେଶ୍ଵର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଗୁରୁବାର ସକାଳୁ 15ରୁ 20 ଜଣ ସିବିଆଇ ଅଧିକାରୀ ଆଶୀର୍ବାଦ ବେହେରାଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲେ। ଏହା ସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଓଡ଼ିଶା ପ୍ରିମିୟର୍ ଲିଗ୍ରେ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ କମ୍ପାନୀଠାରୁ ଆଣିଥିବା କୋଟିଏ ଟଙ୍କା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା। ବିଜ୍ଞାପନ ପାଇଁ ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ କମ୍ପାନୀଠାରୁ କୋଟିଏ ଟଙ୍କା ଆଣିଥିଲେ ଆଶୀର୍ବାଦ ବେହେରା। ଏହି ମାମଲା ସାମ୍ନାକୁ ଆସିବା ପରେ ସେ କୋଟିଏ ଟଙ୍କା ହିସାବ ଦେଇ ପାରି ନ ଥିଲେ। ଏ ନେଇ ଗତ ଅଗଷ୍ଟ ୨୯ ତାରିଖରେ ସିବିଆଇ ଆଶୀର୍ବାଦ ବେହେରାଙ୍କ ସମେତ ହୋଟେଲ ସୋଲାନର ମାଲିକ କମଲାକାନ୍ତ ଦାସ ଓ ଏଟି ଗ୍ରୁପର ନିର୍ଦ୍ଦେଶକ ସମ୍ବିତ କୁମାର ଖୁଣ୍ଟିଆଙ୍କ ନାମରେ ମଧ୍ୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଥିଲା।
