ଭୁବନେଶ୍ବର : ଭାରତ ବିଦେଶୀ ଶାସନ ଅଧୀନରେ ସଂଘର୍ଷ କରୁଥିବା ସମୟରେ ୧୮୭୫ ମସିହାରେ ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ଦ୍ବାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ, ପରାଧୀନ ଭାରତ ବର୍ଷରେ ଅଜ୍ଞତାର ଅନ୍ଧକାର ଓ ଅସମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ଆର୍ଯ୍ୟ ମହା ସମ୍ମିଳନ-୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ, ଯଦି ଆମେ ଗତ ୧୫୦ ବର୍ଷକୁ ଦେଖିବା ତେବେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ । ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଏହା ଏକ ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଳବ ।
ସେ କହିଲେ, ପରାଧୀନ ଭାରତବର୍ଷରେ ସ୍ବାମୀ ଦୟାନନ୍ଦ ସରସ୍ବତୀ ଏଭଳି ଜଣେ ସନ୍ଥ ଥିଲେ ଯିଏ ଅନ୍ଧ ବିଶ୍ଵାସ, ଜାତିପ୍ରଥା ଏବଂ ସାମାଜିକ କୁସଂସ୍କାରକୁ ଆହ୍ୱାନ କରିବାକୁ ସାହସ କରିଥିଲେ। ପରାଧୀନ ଭାରତବର୍ଷରେ ଶିକ୍ଷା, ମହିଳା ସଶକ୍ତିକରଣ ଏବଂ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ବାମୀ ଦୟାନନ୍ଦଙ୍କ ନେତୃତ୍ୱରେ ଆର୍ଯ୍ୟ ସମାଜ ଏକ ନୂତନ

ଜାଗରଣ ସୃଷ୍ଟି କରିଥିଲା । ସ୍ଵାମୀ ଦୟାନନ୍ଦଙ୍କ ଦିଗ୍ଦର୍ଶନରେ ବାଲ୍ୟ ବିବାହକୁ ବିରୋଧ, ମହିଳା ଶିକ୍ଷାକୁ ଗୁରୁତ୍ବ, ବିଧବା ପୁନଃ ବିବାହ ପ୍ରଥା ସମ୍ପର୍କରେ ସଚେତନତା ସୃଷ୍ଟି କରି ସମାଜକୁ ଏକ ନୂଆ ବାର୍ତ୍ତା ଦେଇଥୁଲା ଆର୍ଯ୍ୟ ସମାଜ । ଆଜି ଆମେ ମହିଳାଙ୍କ ବିକାଶ ପାଇଁ ମହିଳା ସଶକ୍ତିକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ତୃଣମୂଳସ୍ତରରେ ମହିଳାଙ୍କ ନେତୃତ୍ୱ ବିଷୟରେ ଯେଉଁ କାର୍ଯ୍ୟ କରୁଛୁ ତାହା ହେଉଛି ସ୍ବାମୀ ଦୟାନନ୍ଦ ସରସ୍ବତୀଙ୍କ ମାର୍ଗଦର୍ଶନ । ଯୁବ ସମାଜକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବ ସଶକ୍ତିକରଣର ପ୍ରଥମ ଚମ୍ପିଆନ ଥିଲେ ସ୍ବାମୀ ଦୟାନନ୍ଦ ସରସ୍ବତୀ । ମହର୍ଷି ଦୟାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜାଗ୍ରତ କରିବା ପାଇଁ ଓ ନିଜ ଅନ୍ତର୍ନିହିତ ଶକ୍ତିରେ ବିଶ୍ଵାସ ରଖ୍ ବିବେକକୁ ବିକଶିତ କରିବା ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ଅତିଥ୍ମାନେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧୂ ସଭାର ଅଧ୍ଯକ୍ଷ ସ୍ବାମୀ ବ୍ରତାନନ୍ଦ ସରସ୍ବତୀ, ବିଶିଷ୍ଟ ସମାଜସେବୀ ଜଗଦୀଶ ପ୍ରସାଦ ଖାଡାଙ୍ଗା, ଆର୍ଯ୍ୟ ପ୍ରତିନିଧୂ ସଭା ନୂଆଦିଲ୍ଲୀର ଉପସଭାପତି ଯୋଗେନ୍ଦ୍ର ଖଟ୍ଟର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉତ୍କଳ ଆର୍ଯ୍ୟ ପ୍ରତିନିଧୂ ସଭାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।
