ବେଦୀ ବନ୍ଧା ସରିଥିଲା, ନିମନ୍ତ୍ରଣ ପତ୍ର ବଣ୍ଟାଯାଇଥିଲା, ବାଜା ବାଣ ରୋଷଣିରେ ବର ଓ ବରଯାତ୍ରୀ ପହଂଚିଥିଲେ କନ୍ୟା ଘର ଦାଣ୍ଡରେ। କିନ୍ତୁ ଖାଇବା ପିଇବା ଚାଲିଥିବାବେଳେ ମଟନ ଶେଷ ହୋଇଯିବାରୁ ହିତାହିତ ଜ୍ଞାନ ହରାଇଲେ ବରଯାତ୍ରୀ । ଏଥିରେ ସାଥ ଦେଲେ ବର । ନିଶାଗ୍ରସ୍ଥ ବରଯାତ୍ରୀଙ୍କ ସହ ବର ମିଶିଯାଇ ଉତ୍ପାତ କରିଥିଲେ। ଫଳରେ ନିସ୍ତୁକ ମାଡ ଖାଇବା ସହିତ କନ୍ୟାଘରେ ପଣବନ୍ଦୀ ହେଲେ ବର ଓ ତାଙ୍କ ସହଯୋଗୀ।
ଶେଷରେ ପୋଲିସ ଉପସ୍ଥିତିରେ ଜୋରିମାନା ଗଣି ଶିଶୁପାଳ ଅବସ୍ଥାରେ ମଙ୍ଗୁଳା କନ୍ୟାକୁ ଛାଡି ଫେରିଲା ବର। ମହାକାଳପଡ଼ାର ବର ଆସିଥିଲା ମାହାଙ୍ଗା ଦେବରିଓ ଗାଆଁକୁ । ମଙ୍ଗୁଳା କନ୍ୟାବି ତୟାର ଥିଲା ବାହାହେବାକୁ । କିନ୍ତୁ ନିଶାସକ୍ତ ବରଯାତ୍ରୀ ବୋବାଲ କଲେ କନ୍ୟାଘର ଦାଣ୍ଡରେ। ଏମିତି ନିଶା ପିଇଥିଲେ ଯେ ମଟନ ଖାଇବାକୁ ନଦେବାରୁ ଲଙ୍କାକାଣ୍ଡ ସୃଷ୍ଟି କଲେ । ମଦୁଆ ବରଯାତ୍ରୀଙ୍କ ସ୍ୱରରେ ସ୍ୱର ମିଳାଇଲେ ବର । ଏଭଳି ଘଟଣା ଦେଖି କନ୍ୟା ବେଦୀକୁ ଯିବ କଣ ସଫାସଫା ମନାକରିଦେଲା ମଦୁଆ ବରକୁ ବାହାହେବନି।