ଶେଷରେ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରର ପତନ ହେଲା। ଦୀର୍ଘଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମାର ପରିସମାପ୍ତି ମଙ୍ଗଳବାର ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଆସ୍ଥା ଭୋଟ ଜିତିବାରେ ବିଫଳ ହେବା ପରେ ଆସ୍ଥା ଭୋଟ ନାଟକରେ ଯବନିକା ପଡ଼ିଛି। ଆସ୍ଥା ଭୋଟରେ ହାରିବା ଯୋଗୁ ଭାଙ୍ଗିଛି ମେଣ୍ଟ ସରକାର। ଆସ୍ଥା ଭୋଟରେ ଭାଜପା ପକ୍ଷକୁ ୧୦୫ଟି ଭୋଟ ଆସିଥିବା ବେଳେ କଂଗ୍ରେସ-ଜେଡିଏସ୍ ସପକ୍ଷରେ ମିଳିଥିଲା ମାତ୍ର ୯୯ଟି ଭୋଟ । ଏହାପରେ କର୍ଣ୍ଣାଟକରେ ବିଜେପି ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ରାଜ୍ୟପାଳ ବଜୁଭାଇ ଭାଲା ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରି ପାରନ୍ତି।
୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡିଏସ ସରକାର ବହୁମତ ହରାଇଥିଲା । ଏହାପରେ ବିରୋଧୀ ବିଜେପି ଆସ୍ଥା ଭୋଟ ପାଇଁ ଦାବି କରିଥିଲା। ଗତ କିଛି ଦିନ ହେବ ଦୁଇ ଦଳ ଆସ୍ଥା ଭୋଟ୍ ଘୁଞ୍ଚାଇବାକୁ ବହୁବାର ଚେଷ୍ଟା କରିଥିଲେ। ମାତ୍ର ଶେଷରେ ମଙ୍ଗଳବାର ଆସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା ଏବଂ କୁମାରସ୍ଵାମୀ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିଲେ। ଏଥି ସହିତ ୧୪ ମାସର କୁମାରସ୍ଵାମୀ ସରକାର ଭଙ୍ଗ ହୋଇଛି। ଆସ୍ଥାଭୋଟରେ ବିଧାନସଭାର ଦ୍ୱାର ବନ୍ଦ ରଖି ଭୋଟିଂ ଆରମ୍ଭ ହୋଇଥିଲା। ଶାସକ ଦଳର ସମର୍ଥକ ବିଧାୟକ ମାନଙ୍କୁ ଠିଆ ହେବାକୁ କୁହାଯାଇଥିଲା ଏବଂ ଏହାପରେ ଗଣତି ଆରମ୍ଭ ହୋଇଥିଲା। ବାଚସ୍ପତି ବିଧାନସଭାରେ ପ୍ରତ୍ୟେକ ଧାଡ଼ିରେ ବିଧାୟକଙ୍କୁ ଛିଡ଼ା କରାଇ ଅଧିକାରୀଙ୍କ ଦ୍ଵାରା ବିଧାୟକଙ୍କ ଗଣତି କରାଇଥିଲେ। ଅଧିକାରୀ ପ୍ରଥମେ ଶାସକ ଦଳର ସଦସ୍ୟଙ୍କ ସଂଖ୍ୟା ଗଣିଥିଲେ ଏବଂ ପୁଣି ବିରୋଧୀ ବିଧାୟକଙ୍କ ସଂଖ୍ୟା ଗଣିଥିଲେ। ଅନ୍ୟପକ୍ଷରେ ରାଜ୍ୟରେ କୌଣସି ଆଇନଶୃଙ୍ଖଳା ପରିସ୍ଥିତିର ଆଶଙ୍କା ରଖି କର୍ଣ୍ଣାଟକାରେ ଆଜି ଏବଂ ଆସନ୍ତାକାଲି ପାଇଁ ୧୪୪ ଧାରା ଲାଗୁ ହୋଇଛି।