ଆମେରିକାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ବାରମ୍ବାର ଅପମାନିତ ହେବାକୁ ପଡୁଛି। ଆମେରିକା ଗସ୍ତରେ ଯାଇଥିବା ଇମ୍ରାନ ଖାଁ ଯେତେବେଳେ ଆମେରିକାରେ ପହଞ୍ଚିଲେ ସେତେବେଳେ ତାଙ୍କୁ କେହି ସ୍ୱାଗତ କରିବାକୁ ନଥିଲେ। ଏବଂ ଏହାପରେ ପୁଣିଥରେ ଅପମାନିତ ହୋଇଛନ୍ତି ଇମ୍ରାନ। ଗତକାଲ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆମେରିକାର ଏକ ସଭାରେ ବେଲୁଚିସ୍ତାନ ସମର୍ଥକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ୱାଶିଂଟନ୍ ଡିସି ସ୍ଥିତ ଏକ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ସଭାରେ ଇମ୍ରାନ ଭାଷଣ ଦେଉଥିଲା ବେଳେ ଆମେରିକାରେ ବସବାସ କରୁଥିବା ବେଲୁଚିସ୍ତାନବାସୀ ବିଭିନ୍ନ ସ୍ଲୋଗାନ ଦେଇ ଭାଷଣରେ ବିଭ୍ରାଟ ସୃଷ୍ଟି କରିଥିଲେ। ସେଠାରେ ପାକିସ୍ତାନ ସେନା ସାଧାରଣ ଲୋକଙ୍କ ଉପରେ ଆତଙ୍କରାଜ ଚଳାଇଥିବା ଓ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ଅଭିଯୋଗ କରିବା ସହ ବେଲୁଚିସ୍ତାନର ସ୍ୱାଧୀନତା ପାଇଁ ଦାବି କରିଥିଲେ। କିଛି ଇମ୍ରାନଙ୍କ ପୋଡିୟମ ନିକଟକୁ ଉଠି ପାଟିତୁଣ୍ଡ କରିଥିଲେ। କିଛି ସମୟ ପରେ ସୁରକ୍ଷାକର୍ମୀ ସେମାନଙ୍କୁ ଧରି ନେଇଥିଲେ। ଏମାନେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ପାକିସ୍ତାନୀ ସେନାଙ୍କ ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲେ।