କର୍ଣ୍ଣାଟକ ନାଟକର ଉଷ୍ମତା ଥମିବାରେ ନାଁ ଧରୁନି । ୬ ତାରିଖରୁ ଆରମ୍ଭ ହୋଇଥିବା ରାଜନୈତିକ ନାଟକ ଆସନ୍ତା ୧୮ ତାରିଖ ପରେ ଉଗ୍ର ଋପ ନେବାକୁ ଯାଉଛି । କାରଣର ୧୮ ତାରିଖରେ ଆସ୍ଥା ପରୀକ୍ଷା ଦେବେ ‘ସ୍ୱାମୀ ସରକାର’ । ଯଦି ଆସ୍ଥା ପରୀକ୍ଷାରେ ସେ ସଫଳ ହୁଅନ୍ତି ତେବେ ମୁଖ୍ୟମନ୍ତ୍ରୀ ହୋଇ ରହିବେ ଯଦି ହାରି ଯାଅନ୍ତି ତେବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ହେବ । ଆସନ୍ତା ୧୮ରେ ବିଧାନସଭାରେ ବିଶ୍ୱାସର ବଡ ପରୀକ୍ଷା ଦେବେ କୁମାରସ୍ୱାମୀ। ପରୀକ୍ଷା ଆଗରୁ ଅସନ୍ତୁଷ୍ଟ ବିଧାୟକଙ୍କୁ ମନେଇବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । କଂଗ୍ରେସ ଏବଂ ଜେଡିଏସ ମେଣ୍ଟ ସରକାର ଆଶା ରଖିଛି ଯେ ବିରୋଧୀ ବିଧାୟକମାନେ ସରକାରକୁ ରକ୍ଷା କରିବାରେ ସାହାଯ୍ୟ କରିବେ। ବିଧାନସଭା ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଗୃହନିର୍ମାଣ ମନ୍ତ୍ରୀ ଏମ୍. ନାଗରାଜଙ୍କୁ ବୁଝାଶୁଝା କରିବାପାଇଁ ଶନିବାର ମେଣ୍ଟର ନେତାମାନେ ଉଦ୍ୟମ କରିଥିଲେ। ପରବର୍ତ୍ତୀ ନିଷ୍ପତ୍ତି ନେବାକୁ ତାଙ୍କୁ ସମୟ ଦେବାକୁ ଶ୍ରୀ ନାଗରାଜ କହିଛନ୍ତି। ହେଲେ ଶ୍ରୀ ନାଗରାଜ ଓ ଆଉ ୪ ଜଣ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟ ଯାଇ ବାଚସ୍ପତିଙ୍କ ବିରୋଧରେ ଅଭିଯୋଗ କରିବା ସହ ବାଚସ୍ପତି ସେମାନଙ୍କ ଇସ୍ତଫା ଗ୍ରହଣ କରୁ ନ ଥିବା ବିଷୟ ଦର୍ଶାଇଛନ୍ତି। ଏଇଠୁ ସ୍ପଷ୍ଠ ହେଉଛି ଅସନ୍ତୁଷ୍ଟ ବିଧାୟକମାନେ ସରକାର ସପକ୍ଷରେ ନାହିାଁନ୍ତି ।
ସେପଟେ ବିଜେପିର କହିବା ଅନୁସାରେ ୧୫ରୁ ଅଧିକ ବିଧାୟକ ଯେଉଁମାନେ ମେଣ୍ଟ ସରକାରରୁ ସମର୍ଥନ ଫେରାଇ ନେଇଛନ୍ତି ସେମାନେ ବିଜେପିକୁ ସମର୍ଥନ କରିବାର ସଂକେତ ଦେଇଛନ୍ତି । ଏପରି ସ୍ଥିତିରେ କୁମାରସ୍ୱାମୀଙ୍କୁ ନିଜ ପଦରୁ ଇସ୍ତଫା ଦେବା ଦରକାର। କୁମାରସ୍ୱାମୀଙ୍କ ଇସ୍ତଫା ଦାବି କରି ବିଜେପି କହିଛି ଆମର ୧୦୫ ବିଧାୟକ ଏକାଠି ହୋଇ ଅଛନ୍ତି । ଅନ୍ୟପଟେ କୁମାରସ୍ୱାମୀ ସରକାର ଯେଉଁମାନଙ୍କୁ ଭରସା କରି ଅସ୍ଥା ଭୋଟ ଜିତିବାକୁ ମନ ବଳେଇଛନ୍ତି ସେମାନେ ଯଦି ସରକାର ବିପକ୍ଷରେ ଭୋଟ ଦିଅନ୍ତି ତେବେ କଥା ସରିଲା ।