ଖୁବଶୀଘ୍ର ବିଜେପିରେ ଯୋଗ ଦେବେ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନୀ। ବିଶ୍ୱକପରୁ ଭାରତ ଅଧାରୁ ବିଦା ହେବା ପରେ ଧୋନୀ ଖୁବଶୀଘ୍ର କ୍ରିକେଟରୁ ଅବସର ଘୋଷଣା କରିବାକୁ ଯାଉଛନ୍ତି। ଏହାପରେ ସେ ବିଜେପି ଦଳରେ ସାମିଲ ହେବେ ବୋଲି କୁହାଯାଉଛି । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ଦୀଲ୍ଲୀରୁ ସାଂସଦ ହୋଇଛନ୍ତି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଞ୍ଜୟ ପାସଓ୍ଵାନ ଦାବି କରିଛନ୍ତି ଯେ, ଧୋନୀ ଶୀଘ୍ର ‘ଟିମ୍ ମୋଦୀ’ର ଅଂଶ ହେବାକୁ ଯାଉଛନ୍ତି। ପାସଓ୍ଵାନଙ୍କ ମୁତାବକ ଏହି ଆଲୋଚନା ବହୁ ପୂର୍ବରୁ ଚାଲିଥିଲା ଏବଂ ଯଦି ତାଙ୍କର ପ୍ରୟାସ ସଫଳ ହୁଏ ତେବେ ଧୋନୀ ଶୀଘ୍ର ସନ୍ନ୍ୟାସ ନେଇ ବିଜେପିରେ ସାମିଲ ହୋଇ ପାରନ୍ତି। ବିଜେପି ଲୋକସଭା ନିର୍ବାଚନ ପୁର୍ବରୁ ‘ସଂପର୍କ ଫର ସମର୍ଥନ’ ନାମରେ ଏକ ଅଭିଯାନ ଆରମ୍ଭ କରିଥିଲା। ଯାହା ଜରିଆରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ମଧ୍ୟ ଧୋନୀଙ୍କୁ ସାକ୍ଷାତ କରିଥିଲେ। ମାତ୍ର ଶାହା ଏହାକୁ ଏକ ଔପଚାରିକ ସାକ୍ଷାତ କହିଥିଲେ।