ଅସ୍ତବ୍ୟସ୍ତ କଲାଣି ବର୍ଷା, ଆହୁରି ବର୍ଷିବ ବୋଲି ପାଣିପାଗ ବିଭାଗ କଲା ସତର୍କ

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଏଥିସହ ଦକ୍ଷିଣ ଛତିଶଗଡରେ ଆଉ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ଉପରୋକ୍ତ କ୍ଷେତ୍ର ସହ ମିଶିଥିବାରୁ ଓଡିଶାରେ ଦକ୍ଷିଣପଶ୍ଚିମ ମୌସୁମି ବାୟୁ ସକ୍ରିୟ ରହିଛି । ଏହାର ପ୍ରଭାବରେ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏଥିସହ ଆସନ୍ତା ୨ ଦିନ ଧରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କଳାହାଣ୍ଡି, ଗଂଜାମ, ପୁରୀ, ବରଗଡ, ଜଗତସିଂହପୁର, କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୁର୍ବାନୁମାନ କରାଯାଇଛି ।

ଆସନ୍ତା ୪୮ ଘଣ୍ଟା ଭିତରେ କେତେକ ସ୍ଥାନରେ ୧୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି ।ସେହିପରି ନବରଙ୍ଗପୁର, ଗଜପତି, କୋରାପୁଟ, କନ୍ଧମାଳ, କଟକ, ଯାଜପୁର, ଢେଙ୍କାନାଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାର କିଛି ଅଂଚଳରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ଓ ଉପକୂଳ ଓଡିଶାରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବି ବହିପାରେ । ତେଣୁ ବଙ୍ଗୋପସାଗର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରିଛି ଭାରତୀୟ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୨୪ ଘଣ୍ଟା ଲାଗି ଅଧିକାଂଶ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *