ଆଇଏଚସି ଏବଂ ଅଦାନୀ ଭାଗିଦାରିତା ଫଳରେ ୧୪ଟି ନୂଆ ପ୍ରକଳ୍ପ
ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (ଆଇଏଚସି) ର ବ୍ୟବସାୟିକ ଶାଖା ଏବଂ ସହଯୋଗୀ କମ୍ପାନୀଗୁଡ଼ିକ ସହ ଗୁରୁତ୍ୱପୂର୍ଣ୍ଣ ଗୋଲଟେବୁଲ ବୈଠକରୁ ଆଜିର ଦିନଟି ଆରମ୍ଭ ହୋଇଥିଲା । ୨ଜୁଲାଇ ୨୦୨୬ରେ ସ୍ୱାକ୍ଷରିତ ହୋଇଥିବା ଐତିହାସିକ ବୁଝାମଣା ପତ୍ରର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଅନୁଷ୍ଠିତ ଏହି ବୈଠକରେ ଆଇଏଚସି ର ପରିଚାଳନା ନିର୍ଦ୍ଦେଶକ, ସିଇଓ ତଥା ବୋର୍ଡ ସଦସ୍ୟ ଶ୍ରୀ ସୟଦ ବସର ଶୁଏବ, ଅଦାନୀ ପୋର୍ଟସ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କରଣ ଅଦାନୀ ଏବଂ ଅଦାନୀ ଗ୍ରୀନ୍ ଏନର୍ଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସାଗର ଅଦାନୀ ଯୋଗ ଦେଇଥିଲେ । ଆଲୁମିନିୟମ ପ୍ରକଳ୍ପ ପାଇଁ ଅଦାନୀ ଗ୍ରୁପ୍ ହେଉଛନ୍ତି ମିଳିତ ସହଯୋଗୀ । ଏହି ଗୋଲଟେବୁଲ ବୈଠକରେ ଆଇଏଚସି ର ବ୍ୟବସାୟିକ ଶାଖା ଏବଂ ସହଯୋଗୀ କମ୍ପାନୀଗୁଡ଼ିକର ବରିଷ୍ଠ ପ୍ରତିନିଧିମାନେ ଏକାଠି ହୋଇଥିଲେ । ସେମାନଙ୍କ ମଧ୍ୟରେ ଇଣ୍ଟରନ୍ୟାସନାଲ ରିସୋର୍ସେସ ହୋଲ୍ଡିଂ ( ଆଇଆରଏଚ୍) ର ସିଇଓ ଶ୍ରୀ ଅଲି ରସିଦ ଅଲ-ରସଦି, ଟୁ ପଏଣ୍ଟ ଜିରୋ ଗ୍ରୁପର ସିଇଓ ଶ୍ରୀମତୀ ସାମିଆ ବୁଆଜ୍ଜା, ଟୁ ପଏଣ୍ଟ ଜିରୋ ର ସିଇଓ ମହମ୍ମଦ ହେସାମ, ଘିଥା ହୋଲ୍ଡିଂର ଗ୍ରୁପ୍ ସିଇଓ ଫଲାଲ ଅମିନ୍, ବୁର୍ଜିଲ ହୋଲ୍ଡିଂସର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡକ୍ଟର ଶମଶୀର ଭାୟାଲିଲ, ଏମଏମଡିସି ଗ୍ରୁପର ଗ୍ରୁପ୍ ସିଇଓ ଡକ୍ଟର ୟାସିର ଜାଗଲୁଲ, ଅଲ ସିର ମେରାଇନର ସିଇଓ ଶ୍ରୀ ଗାଇ ନିଭେନ୍ସ, ଏମିରେଟ୍ସ ଷ୍ଟାଲିଅନ୍ସ ଗ୍ରୁପର ସିଇଓ ଶ୍ରୀ କାୟେଦ ଅଲି ଖୋର୍ମା, ସିରିୟସ ଇଣ୍ଟରନ୍ୟାସନାଲ ହୋଲ୍ଡିଂର ସିଇଓ ଶ୍ରୀ ଅଜୟ ଭାଟିଆ, ଓଡ଼ିଆ ଉଦ୍ୟୋଗୀ ଏବଂ ଏଡିଆଇ ଫାଉଣ୍ଡେସନର ଶ୍ରୀ ଆନ୍ଦ୍ରେ ଲାଜୋରେଙ୍କୋ ପ୍ରମୁଖ ସାମିଲ ଥିଲେ ।
ଏହି ଆଲୋଚନାରେ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ସମ୍ଭାବ୍ୟ ସ୍ଥାନ ଚୟନ ପ୍ରକ୍ରିୟା ଆଗେଇଛି । ଏଥିପାଇଁ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ତହସିଲରେ ‘ଆଲୁମିନା ରିଫାଇନାରୀ’ ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଦର ସୁନ୍ଦରଗଡ଼ ତହସିଲରେ ‘ଆଲୁମିନିୟମ ସ୍ମେଲ୍ଟର’ ପାଇଁ ଜମି ପ୍ରସ୍ତାବ ଦିଆଯାଇଛି । ଏହି ଆଲୋଚନା ଫଳରେ ସହଯୋଗିତାକୁ ବାସ୍ତବ ପ୍ରକଳ୍ପରେ ରୂପାନ୍ତରିତ କରିବା ପାଇଁ ଅଧିକ ଗତି ମିଳିଛି ।
ଓଡ଼ିଶା ସରକାର, ଆଇଏଚସି ଏବଂ ଅଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଏହି ଗସ୍ତର ପ୍ରମୁଖ ସଫଳତା । ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ ୨,୧୦,୫୦୦ କୋଟି ଟଙ୍କା ନିବେଶ ସହ ପାଖାପାଖି ୮,୬୮,୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟାଲ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି, ସ୍ଲରୀ ପାଇପଲାଇନ୍, କ୍ରିଟିକାଲ ମିନେରାଲ୍ସ ଓ ରେୟାର ଆର୍ଥ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି । ଏହା ଆଲୁମିନିୟମ ପ୍ରକଳ୍ପକୁ ଆଧାର କରି ଆଇଏଚସି ବିଭିନ୍ନ ବ୍ୟବସାୟ ପାଇଁ ଓଡ଼ିଶାକୁ ଏକ ସମ୍ଭାବ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବ । ଏହା ରାଜ୍ୟର ଶିଳ୍ପ ଦକ୍ଷତା ସହିତ ଅନ୍ତର୍ଜାତୀୟ ପୁଞ୍ଜି, ବୈଷୟିକ ଜ୍ଞାନକୌଶଳ ଏବଂ ବିଶ୍ୱ ବଜାରର ସୁଯୋଗକୁ ଯୋଡ଼ିବା ପାଇଁ ନୂଆ ଦ୍ୱାର ଖୋଲିବ ।