ସିଦ୍ଧାର୍ଥ ସ୍ୱରୂପ ଦାଶ ହେଲେ ନୂତନ ପିସିସି କୋଷାଧ୍ୟକ୍ଷ ଓ ରାଜନୈତିକ ବ୍ୟାପାର କମିଟିର ସର୍ବ କନିଷ୍ଠ ସଦସ୍ୟ

ଭୁବନେଶ୍ୱର ତା ୮.୯.୨୬ :- ଓଡ଼ିଶା ପ୍ରଦେଶ କଂଗ୍ରେସର ନବ ଗଠିତ କମିଟି ଘୋଷଣା କରାଯାଇ ସେମାନଙ୍କ ନାମ ତାଲିକା ଏଆଇସିସି ପକ୍ଷରୁ ପ୍ରକାଶ କରାଯାଇଛି। ଉକ୍ତ କମିଟିରେ କୋଷାଧ୍ୟକ୍ଷ ଭାବେ ଏବଂ ପିସିସି ରାଜନୈତିକ ବ୍ୟାପାର କମିଟିର ସର୍ବ କନିଷ୍ଠ ସଦସ୍ୟ ଭାବେ ଯୁବ ଇଞ୍ଜିନିୟର ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଦାୟୀତ୍ୱ ମିଳିଥିବାରୁ ସେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ,ମାନନୀୟ ସୋନିଆ ଗାନ୍ଧୀ, ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ ( ସଂଗଠନ) କେ ସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଲାଳଜି ଦେଶାଇ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସେ କହିଛନ୍ତି କି କିଛିବର୍ଷ ଧରି କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ଶୃଙ୍ଖଳିତ କର୍ମୀ ଭାବେ ତାଙ୍କୁ ଯେଉଁ ଦାୟୀତ୍ୱ ମିଳିଛି ତାକୁ ସୁଚାରୁ ରୂପେ ପାଳନ କରିଛନ୍ତି। ସେ ପୂର୍ବ କମିଟିରେ ପିସିସି କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରି ଆସୁଥିଲେ। ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଭାବେ ଗତ ସାଧାରଣ ନିର୍ବାଚନରେ ଅବତୀର୍ଣ୍ଣ ହୋଇ ଏକ ସମ୍ମାନଜନକ ଭୋଟ ପାଇଥିଲେ।

ସେ କେନ୍ଦ୍ରାପଡ଼ା ସମେତ କିଛି ଜିଲ୍ଲାରେ ଲେମ୍ବୁମ୍ୟାନ ଭାବେ ପରିଚିତ ଥିଲେ। ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ଲେମ୍ବୁର ଓ ଲେମ୍ବୁ ଗଛର ଆବଶ୍ୟକତା ନେଇ ଏକ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ସେ ଲେମ୍ବୁ ଓ ଲେମ୍ବୁଚାରା ବାଣ୍ଟି ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ କଂଗ୍ରେସ ଦେଶ ଓ ରାଜ୍ୟରେ ଏକ ମାତ୍ର ବିକଳ୍ପ ବୋଲି କହିବା ସହ ତାଙ୍କ ଦୀର୍ଘ ବର୍ଷର ରାଜନୀତିର ଅଭିଜ୍ଞତାକୁ ନେଇ ଆଗକୁ ତୃଣମୂଳସ୍ତରରେ କେନ୍ଦ୍ରାପଡ଼ା ସମେତ ରାଜ୍ୟର କଂଗ୍ରେସ ସଂଗଠନକୁ କିପରି ଆହୁରି ସୁଦୃଢ଼ କରାଯାଇ ରାହୁଲ ଗାନ୍ଧୀଙ୍କ ହାତମୁଠାକୁ ଟାଣ କରାଯାଇ ପାରିବ ଏବଂ ରାଜ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସକୁ ଲୋକାଭିମୁଖୀ କରାଯାଇପାରିବ ସେଥିପ୍ରତି ପ୍ରତି ପ୍ରୟାସ କରିବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଶ୍ରୀ ଦାଶ ଓଡ଼ିଶା ପ୍ରଦେଶ କଂଗ୍ରେସ ନବ ଗଠିତ କମିଟିର କାର୍ଯ୍ୟକାରୀ କମିଟି, ପରାମର୍ଶଦାତା କମିଟି, ଉପସଭାପତି, ସାଧାରଣ ସମ୍ପାଦକ ଓ ସମ୍ପାଦକ ପଦରେ ନିଯୁକ୍ତ ସମସ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *