ବିବାହ ଆଗରୁ ଶାରୀରିକ ସମ୍ପର୍କ, ପରେ ଗର୍ଭ ନଷ୍ଠ। ଯଦି ଭୁଲରେ ଗର୍ଭ ନଷ୍ଠ କରି ନହୁଏ ତେବେ ପିଲାଟି ଜନ୍ମହେବା ପରେ ତାକୁ ମରି ଦିଆଯାଏ। ଦୁନିଆ ଦେଖିବା ଆଗରୁ କଅଁଳ ଶିଶୁଟିକୁ ମାରିଦିଆଯାଏ। ଦୁନିଆକୁ ଆସୁଆସୁ ସେ ଅଲୋଡ଼ା ହୋଇଯାଏ । ବର୍ତ୍ତମାନ ଆଧୁନିକ ସମାଜରେ ଏହା ନିତିଦିନିଆ ଖବର । କଉଠି ନା କଉଠି ଏଭଳି ଖବର ଆପଣ ପ୍ରତ୍ୟେକ ଦିନ ଶୁଣିବାକୁ ପାଇଥାନ୍ତି। ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନବଜାତ ମୃତ ସଂଖ୍ୟା । ଏନେଇ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହାର ପ୍ରଭାବ କାହାରି ଉପରେ ପଡୁନି। ଏଭଳି ହୃଦୟବିଦାରକ ଘଟଣା ଭଦ୍ରକରେ ଦେଖିବାକୁ ମିଳିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆନନ୍ଦବଜ଼ାର ଲକ୍ଷ୍ମୀ ମନ୍ଦିର ସ୍ଥିତ ରାସ୍ତା କଡ଼ରୁ ମିଳିଛି ଶିଶୁ ପୁତ୍ରର ମୃତ ଶରୀର। ଭଦ୍ରକ – ଆଖଣ୍ଡଳମଣି ରାସ୍ତାରେ ଲୋକେ ଯାଉଥିବା ବେଳେ ରାସ୍ତା କଡରେ ପଡିଥିବା ମୃତ ଶିଶୁଟିକୁ ଦେଖିଥିଲେ। ପରେ ଚାରିଆଡେ ଘଟଣାଟି ବ୍ୟାପି ଯାଇଥିଲା। ଘଟଣା ସ୍ଥଳରେ ଶହ ଶହ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ। କିଛିଦିନ ତଳେ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ପେଟି ଭିତରୁ ମୃତ ନବଜାତକ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିଲା ବେଳେ ଶୁକ୍ରବାର ଜ଼ିଲ୍ଲାରେ ପୁଣି ମୃତ ନବଜାତକ ଶିଶୁ ପୁତ୍ର ଉଦ୍ଧାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନବଜାତକ ଶିଶୁଟିକୁ କିଏ ରାସ୍ତା କଡରେ ଫିଙ୍ଗିଲା ତାହାକୁ ନେଇ ପୋଲିସ ଛାନଭିନ ଚଳାଇଛି।