ପୁଣି ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ । ମଝିରୁ ସ୍ଥଗିତ ହୋଇଥିବା ଇଣ୍ଡିଆନ୍ ପ୍ରିମିଅର ଲିଗ୍ ଆସନ୍ତା ମେ ୧୭ ତାରିଖଠାରୁ ପୁଣି ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଆଇପିଏଲର ଫାଇନାଲ ମ୍ୟାଚ୍ ଜୁନ୍ ୩ ତାରିଖରେ ଅନୁଷ୍ଠିତ ହେବ।

ଭାରତ-ପାକିସ୍ତାନ ମଧ୍ୟର ଉତ୍ତେଜନା ଯୋଗୁଁ ଆଇପିଏଲକୁ ସ୍ଥଗିତ ରଖାଯାଇଥିଲା। ଧର୍ମଶାଳାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସୁରକ୍ଷା କାରଣରୁ ମଝିରେ ବନ୍ଦ ହୋଇଯାଇଥିଲା । ତେବେ ଗତ ଶନିବାର ଦିନ ଉଭୟ ଦେଶ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ପୁନଃ ଆରମ୍ଭ କରିବା ପାଇଁ ଯୋଜନା କରିଛି। ପ୍ଲେଅଫ୍ ପର୍ଯ୍ୟାୟ ମେ ୨୦ ରୁ ଆରମ୍ଭ ହେବାର ଥିଲା, ଏବେ ଏହା ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ମେ ୨୯ ରୁ ଆରମ୍ଭ ହେବ। ପ୍ରଥମ କ୍ୱାଲିଫାୟର ମ୍ୟାଚ୍ ମେ ୨୯ରେ ଖେଳାଯିବ। ଏଲିମିନେଟର ମ୍ୟାଚ୍ ମେ ୩୦ରେ, ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଜୁନ୍ ୧ରେ ଏବଂ ଫାଇନାଲ ମ୍ୟାଚ୍ ଜୁନ୍ ୩ ରେ ଖେଳାଯିବ। ପ୍ଲେଅଫ୍ ମ୍ୟାଚ୍ ପାଇଁ ସ୍ଥାନ ଖୁବଶୀଘ୍ର ଘୋଷଣା କରାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଫାଇନାଲ ମ୍ୟାଚ୍ ହେବାର ଯୋଜନା ଥିଲେ ମଧ୍ୟ, ଜୁନ୍ ପ୍ରଥମ ସପ୍ତାହରେ ବର୍ଷାର ସମ୍ଭାବନା ଯୋଗୁଁ ଏହା ବଦଳାଯାଇ ଯାଇପାରେ ବୋଲି ଆଶା କରାଯାଉଛି। ବିସିସିଆଇ ସମସ୍ତ ଫ୍ରାଞ୍ଚାଇଜିକୁ ମେ ୧୩ ସୁଦ୍ଧା ସେମାନଙ୍କ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ଏକତ୍ର କରିବାକୁ ନିର୍ଦ୍ଦେଶ ଦେଇଛି।