ଭଦ୍ରକ : ଆର୍ଯ୍ୟ ସମାଜ ଭଦ୍ରକର ଆଚାର୍ଯ୍ୟ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ମାର୍ଗଦର୍ଶନ ଓ ଆର୍ଯ୍ୟ ସମାଜ ଭଦ୍ରକର ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ପିତା, ମାତା, ଆଚାର୍ଯ୍ୟ, ଅତିଥିଙ୍କୁ ଯଥା ଯୋଗ୍ୟ ସମ୍ମାନ ଓ ଶୃଙ୍ଖଳିତ ଦିନଚର୍ଯ୍ୟାର ଶିକ୍ଷା ପ୍ରଦାନ ସମ୍ପର୍କରେ ହରିଆଣା ଜମୁନାନଗର କନ୍ୟା ଗୁରୁକୂଳରୁ ଆସିଥିବା ଆଚାର୍ଯ୍ୟା ବିଦୁଷୀ ଆର୍ଯ୍ୟାଶା ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଛନ୍ତି । ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ମଠସାହିର ଏସ୍ ଟି ଜାଭିୟର ଗ୍ଲୋବାଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ଦାନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଛି । ପିତାମାତା ଓ ଗୁରୁ ପିଲାମାନଙ୍କୁ କିପରି ସଂସ୍କାର ପ୍ରଦାନ କରିପାରିବେ ସେନଇ ଆଚାର୍ଯ୍ୟା ନିଜ ମତ ରଖିବା ସହ ଆଜି ଯେଉଁମାନେ ଛାତ୍ରଛାତ୍ରୀ ସେମାନେ ଆଗାମୀ ଦିନରେ ଦେଶର ଭଲ ନାଗରିକ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଶିକ୍ଷା କେବଳ ନୁହେଁ ପିଲାମାନଙ୍କୁ ଖେଳକୁଦ, ନାଚ, ଗୀତ, ଚିତ୍ରକଳା କ୍ଷେତ୍ରରେ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ଦେଇ ତାଙ୍କର ଅନ୍ତର୍ନିହିତ ଗୁଣ ବିକାଶ କରାଯିବାର ଆବଶ୍ୟକତା ଅଛି । କାର୍ଯ୍ୟକ୍ରମ ମାନଙ୍କରେ ବିଦ୍ୟାଳୟର ଆଚାର୍ଯ୍ୟା ସୁଶ୍ରୀ ରୋଜାଲିନ, ପ୍ରଶାନ୍ତ କୁମାର ସାହୁ ଓ ରାଜକିଶୋର ଦାସଙ୍କ ସହଯୋଗରେ କରାଯାଇଥିଲା । କାର୍ଯ୍ୟକ୍ରମକୁ ଭଦ୍ରକ ଆର୍ଯ୍ୟ ସମାଜର ସଭାପତି ବୀଣାପାଣି ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ରବିନାରାୟଣ ଲେଙ୍କା ସହଯୋଗ କରିଥିଲେ ।
