ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନାଟକୀୟ ଘଟଣା, ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଜୋ ବାଇଡେନ ହେଲେ ବିଦା…

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ନାଟକୀୟ ମୋଡ଼ ଦେଖିବାକୁ ମିଳିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆଗମୀ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଯାଇଛନ୍ତି। ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ନିର୍ବାଚନ ଲଢିବେ ନାହିଁ । ସେ ନିଜେ ଏହି ଘୋଷଣା କରିଛନ୍ତି।  ଦେଶ ଓ ପାର୍ଟି ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ଏହାସହ ଆଗମୀ ସପ୍ତାହରେ ସେ ଦେଶ ଓ ପାର୍ଟି ଉଦ୍ଦେଶ୍ୟରେ ସମ୍ବୋଧନ କରିବାକୁ ଯାଉଛନ୍ତି। ବାଇଡେନ କହିଛନ୍ତି ଯେ, ସେ ବର୍ତ୍ତମାନ ତାଙ୍କ ଅବଶିଷ୍ଟ କାର୍ଯ୍ୟକାଳ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର କର୍ତ୍ତବ୍ୟ ପୂରଣ କରିବା ଉପରେ ଧ୍ୟାନ ଦେବେ। ପୂର୍ବରୁ ବାଇଡେନ ନିର୍ବାଚନ ନଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଅନେକ ଥର ଡିବେଟରେ ତାଙ୍କର ପ୍ରଦର୍ଶନ ଖରାପ ଦେଖିବାକୁ ମିଳୁଥିଲା। ଗତ ମାସରେ ରିପବ୍ଲିକାନ୍ ପାର୍ଟିର ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଟେଲିଭିଜନ ବିତର୍କରେ ଅପ୍ରତ୍ୟାଶିତ ଭାବେ ଦୁର୍ବଳ ପ୍ରଦର୍ଶନ କରିବା ପରେ ଉଭୟ ଡେମୋକ୍ରାଟିକ୍ ସାଂସଦ ଏବଂ ଦଳୀୟ ଅଧିକାରୀଙ୍କ ଚାପ ପରେ ବାଇଡେନ୍ ହ୍ୱାଇଟ୍ ହାଉସ୍ ଦୌଡ଼ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହାସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଏକ କାରଣ ହୋଇପାରେ ବୋଲି କୁହାଯାଉଛି। ଜୋ ବାଇଡେନ ରାଷ୍ଟ୍ରପତି ରେସରୁ ଓହରିଯିବା ପରେ କମଲା ହେରିସଙ୍କୁ ନିଜ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ସମର୍ଥନ କରିଛନ୍ତି। କମଲା ହେରିସ କହିଛନ୍ତି ଆମେ ଏକାଠି ଲଢିବୁ ଏବଂ ଜିତିବୁ ମଧ୍ୟ।

Leave a Reply

Your email address will not be published. Required fields are marked *