ପାଟକୁରା ପାଇଁ ବାଜିଲା ବିଗୁଲ। ଜୁଲାଇ ୨୦ରେ ନିର୍ବାଚନ, ୨୪ରେ ଭୋଟ୍ ଗଣତି ହେବ। ନିର୍ବାଚନ ବିଗୁଲ ବାଜିଲା ପରେ ସରଗରମ ହୋଇଯାଇଛି ରାଜନୀତି । ବିଜୟଙ୍କୁ ଅଟକାଇବା ପାଇଁ ବିଜେଡି ନୂତନ ରଣନୀତି ସହ ମୈଦାନକୁ ଓହ୍ଲାଇବ । ଅନ୍ୟପଟେ ଦୀର୍ଘ ଦିନ ଧରି ବିଧାନସଭାରୁ ଦୂରରେ ଥିବା ବିଜୟ କିନ୍ତୁ ଏଥର ବଧାନସଭା ଯିବାକୁ ସ୍ଥିର କରିଛନ୍ତି । କଳେ ବଳେ କୌଶଳେ ଏଥର ବିଧାନସଭା ମାଟି ମାଡିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବିଜୟ । ଏଥିପାଇଁ ବିଜୟଙ୍କ ସାହାବାଡି ସାଜିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ। ସେପଟେ ପ୍ରଥମ କରି ସାଂସଦ ହୋଇ ମନ୍ତ୍ରୀ ହୋଇଥିବା ଚର୍ଚ୍ଚିତ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ମଧ୍ୟ ବିଜୟଙ୍କ ପରାଜୟ ପରମ୍ପରା ଭାଙ୍ଗିବାରେ ସାହାଜ୍ୟ କରିବେ ।
ଅନ୍ୟପଟେ କୁହାଯାଉଛି ରାଜ୍ୟ ବିଜେପିର ଏକ ନମ୍ବର ନେତା ତଥା କନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ବିଜୟଙ୍କ ବିଜୟ ରାସ୍ତାରେ କଣ୍ଟା ସାଜିପାରନ୍ତିା ନିକଟରେ ରାଜ୍ୟସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେଇଥିବା ସହ ଏବେ ବିଜେଡି ଓ ବିଜେପିର ସମ୍ପର୍କରେ ଅନେକ ସୁଧାର ଆସିଛି । ଏବଂ ବିଜେଡିର ଏକ ନମ୍ବର ଶତ୍ରୁ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ବିଜେଡି ସବୁକିଛି ବାଜି ଲଗାଇଦେବ । ଏପରି କ୍ଷେତ୍ରରେ ବିଜୟଙ୍କୁ ହରାଇବା ପାଇଁ ବିଜେଡି ଧର୍ମନ୍ଦ୍ରଙ୍କ ସହାୟତା ନେଇପାରେ। ବିଜେଡି ଚାହିଁବ ଅଶ୍ୱନୀ ବୈଷ୍ଣବଙ୍କ ସମର୍ଥନର ଫେରସ୍ତରେ ବିଜୟଙ୍କ ପରାଜୟ । ଯାହା କେବଳ ଧର୍ମନ୍ଦ୍ର ଚାହିଁଲେ ସମ୍ଭବ।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ବିଜେଡି ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ବେଦପ୍ରକାଶ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଥିଲା କିନ୍ତୁ ତାଙ୍କର ଦେହାନ୍ତ ହୋଇଯିବାରୁ ଏହି ନିର୍ବାଚନ ସ୍ଥଗିତ କରାଯାଇଥିଲା ଏହା ପରେ ମେ’୧୯ ତାରିଖରେ ପାଟକୁରା ନିର୍ବାଚନ ହେବାର ଥିଲା। ତେବେ ବାତ୍ୟା ଫୋନି ଯୋଗୁଁ ଦ୍ୱିତୀୟ ଥର ନିର୍ବାଚନ ଘୁଞ୍ଚା ଯାଇଥିଲା। ବର୍ତ୍ତମାନ ନିର୍ବାଚନ ପାଇଁ ବିଜେଡି ବେଦପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ନାମ ଘୋଷଣା କରିଛି । ଅନ୍ୟପକ୍ଷରେ ବିଜେପି ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି