ଟି-୨୦ ବିଶ୍ୱକପରୁ ବିଦା ପାକିସ୍ତାନ। ଗ୍ରୁପ ପର୍ଯ୍ୟାୟରୁ ହିଁ ବିଦାୟ ନେଇଛି ପାକିସ୍ତାନ। ଆମେରିକା ଓ ଭାରତ ଠାରୁ କ୍ରମାଗତ ଦୁଇଟି ମ୍ୟାଚ୍ ହାରିଥିବା ପାକିସ୍ତାନକୁ ବିଶ୍ୱକପରୁ ବାହାର ରାସ୍ତା ଦେଖିବାକୁ ପଡ଼ିଛି। ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଗ୍ରୁପ୍-ଏ ର ଏକ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ଫଳରେ ଆମେରିକା ସିଧାସଳଖ ସୁପର-୮ରେ ପହଞ୍ଚିବା ସହ ପାକିସ୍ତାନ ବିଶ୍ୱକପରୁ ଆଉଟ୍ ହୋଇଯାଇଛି। ସୁପର ୮କୁ ଯୋଗ୍ୟତା ଅର୍ଜନ କରି ଆମେରିକା ଇତିହାସ ରଚିଛି । ପ୍ରଥମଥର ପାଇଁ ଆମେରିକା ଆୟୋଜକ ହିସାବରେ ଟି-୨୦ ବିଶ୍ୱକପ ଖେଳି ସୁପର ୮ରେ ପ୍ରବେଶ କରିଛି। ଆମେରିକା ତା’ର ପ୍ରଥମ ମ୍ୟାଚ୍ରେ କାନାଡାକୁ ଓ ପରେ ପାକିସ୍ତାନକୁ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ୍ରେ ଦଳ ଭାରତ ଠାରୁ ପରାସ୍ତ ହୋଇଥିଲା। ତେବେ ଶୁକ୍ରବାର ଶେଷ ମ୍ୟାଚ୍ରେ ଆୟର୍ଲ୍ୟାଣ୍ଡକୁ ଭେଟିବାର ଥିଲା। ଏହି ମ୍ୟାଚ୍ ଯଦି ଆମେରିକା ହାରି ଥାଆନ୍ତା, ତା’ହେଲେ ପାକିସ୍ତାନ ପରବର୍ତ୍ତୀ ମ୍ୟାଚ୍ରେ ଆୟର୍ଲ୍ୟାଣ୍ତକୁ ହରାଇ ସୁପର ୮କୁ ଯିବାର ସୁଯୋଗ ସୃଷ୍ଟି କରିଥାଆନ୍ତା। କିନ୍ତୁ ଶୁକ୍ରବାର ଆମେରିକା ବନାମ ଆୟର୍ଲ୍ୟାଣ୍ଡ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହେବା ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି। ୧ ପଏଣ୍ଟ ମିଳିବା ପରେ ଆମେରିକାର ୫ ପଏଣ୍ଟ ହୋଇଯାଇଛି। ପାକିସ୍ତାନ ତା’ର ଶେଷ ମ୍ୟାଚ୍ ଜିତିଲେ ମଧ୍ୟ ୪ ପଏଣ୍ଟ ହେବ। ତେଣୁ ଗ୍ରୁପ-ଏରୁ ଭାରତ ଓ ଆମେରିକା ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ଗ୍ରୁପ୍-ସି’ରେ ଥିବା ବଡ଼ ଦଳ ନ୍ୟୁଜିଲାଣ୍ଡ ମଧ୍ୟ ବିଶ୍ୱକପରୁ ବିଦାୟ ନେଇସାରିଛି।