ପାକିସ୍ତାନ ପାଇଁ ସେମି ସମୀକରଣ ଅସମ୍ଭବ ନୁହେଁ, ଜାଣନ୍ତୁ କେମିତି ଯାଇପାରେ ସେମିକୁ ପାକ୍ ଟିମ୍ ?

କ୍ରିକେଟରେ ସବୁ କିଛି ସମ୍ଭବ। କୁହାଯାଏ, କ୍ରିକେଟ୍ ଅନିଶ୍ଚିତତାର ଖେଳ। ମ୍ୟାଚର ଶେଷ ବଲ୍ ନପଡିବା ଯାଏଁ କହିବା ମୁସ୍କିଲ କି ପାକିସ୍ତାନ ବିଶ୍ୱକପରୁ ବାହାର ହୋଇଯାଇଛି ବୋଲି। ଗତ ଶ୍ରୀଲଙ୍କା-ନ୍ୟୁଜିଲାଣ୍ଡ ମ୍ୟାଚ୍ ପରେ ପାକିସ୍ତାନ ସେମି ଆଶା ଯେମିତି ଶେଷ ହୋଇଗଲା ପରି ଲାଗୁଛି। ତଥାପି ପକିସ୍ତାନ ଟିମ ଇଂଲଣ୍ଡ ବିପକ୍ଷରେ ସବୁ ସମୀକରଣକୁ ନଜରରେ ରଖି ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚରେ ଏକ ଚମତ୍କାର ହିଁ ପାକିସ୍ତାନକୁ ସେମିରେ ଖେଳାଇ ପାରିବ।  ଚଳିତ ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେମିଫାଇନାଲକୁ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଉନ୍ନୀତ ହୋଇ ସାରିଥିବା ବେଳେ କେବଳ ଚତୁର୍ଥ ଟିମ୍ ଉପରେ ସଭିଙ୍କ ନଜର । ଚଳିତ ବିଶ୍ୱକପର ସେମିଫାଇନାଲ ପୂର୍ବରୁ ଆଉ ମାତ୍ର 3ଟି ମ୍ୟାଚ ବାକି ରହିଥିବା ବେଳେ ନଭେମ୍ବର 11ରେ ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚ ଉପରେ ସଭିଙ୍କ ନଜର। ବର୍ତ୍ତମାନ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ 9ଟି ମ୍ୟାଚରୁ 10 ଅଙ୍କ ସହ ଚତୁର୍ଥ ସ୍ଥାନରେ ଓ ପାକିସ୍ତାନ 8 ଅଙ୍କ ସହ ପଞ୍ଚମରେ ରହିଛି। ଯଦିଓ ପାକିସ୍ତାନକୁ ଆଉ ଏକ ମ୍ୟାଚ ଖେଳିବାକୁ ବାକି ରହିଛି। ତେବେ ନ୍ୟୁଜିଲାଣ୍ଡର ମଜବୁତ ନେଟ୍ ରନରେଟ୍ ଏବେ ପାକିସ୍ତାନ ପାଇଁ କଣ୍ଟା ସାଜିଛି। ତେବେ ସେମିରେ ପହଞ୍ଚିବାକୁ ହେଲେ ପାକିସ୍ତାନ ନିକଟରେ ଯେଉଁ ଲକ୍ଷ୍ୟ ରହିଛି ତାହା ଏକପ୍ରକାର ଅସମ୍ଭବ ପରି ଲାଗୁଛି । ଏଠାରେ ପ୍ରଶ୍ନ ଉଠେ, ସେମିରେ ପହଞ୍ଚିବାକୁ ହେଲେ ପାକିସ୍ତାନକୁ କ’ଣ କରିବାକୁ ପଡ଼ିବ? କଣ କହୁଛି ସମୀକରଣ? ନିୟମ ହିସାବରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଯଦି ୩୦୦ ରନର ଟାର୍ଗେଟ ଇଂଲଣ୍ଡ ଆଗରେ ରଖେ ଏବଂ ଇଂଲଣ୍ଡକୁ ୧୩ ରନରେ ଅଲ ଆଉଟ୍ କରେ ତେବେ ଯାଇ ସେମିରେ ପହଞ୍ଚି ପାରିବ ପାକିସ୍ତାନ । ସେହିପରି ୪୦୦ ରନର ଟାର୍ଗେଟ ଦେଇ ଇଂଲଣ୍ଡକୁ ୧୧୨ ରନରେ, ୪୫୦ ରନର ଟାର୍ଗେଟ ଦେଲେ ୧୬୨ ରନରେ ଓ ୫୦୦ ଟନର ଟାର୍ଗେଟ ଦେଇ ଇଂଲଣ୍ଡକୁ ୨୧୧ ରନରେ ସୀମିତ ରଖିବାକୁ ପଡ଼ିବ। କହିବାକୁ ଗଲେ ପାକିସ୍ତାନ ସେମି ଫାଇନାଲକୁ ଯିବାକୁ ହେଲେ ଇଂଲଣ୍ଡ ବିପକ୍ଷରେ 287 ରନର ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ। ଯଦି ପାକିସ୍ତାନ ପ୍ରଥମ ବୋଲିଂ କରେ ତେବେ ପାକିସ୍ତାନକୁ ମାତ୍ର 16ଟି ବଲରେ ଟାର୍ଟେଟ ହାସଲ କରିବାକୁ ପଡ଼ିବ ଅଥବା 284 ଟି ବଲ ପୂର୍ବରୁ ପାକିସ୍ତାନକୁ ବିଜୟ ଲକ୍ଷ୍ୟ ହାସଲ କରିବାକୁ ହେବ। ତେବେ ଯାଇ ପାକିସ୍ତାନ ସେମି ଫାଇନାଲରେ ପ୍ରବେଶ କରିପାରିବ। ଯାହା ଅସମ୍ଭବ ଲାଗୁଥିଲେ ବି କ୍ରିକେଟରେ ସବୁ ସମ୍ଭବ…

Leave a Reply

Your email address will not be published. Required fields are marked *