ବାପା ହେବେ ଆନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ!

ସମଲିଙ୍ଗୀ ବିବାହକୁ ନେଇ ତର୍କବିତର୍କ ଲାଗି ରହିଥିବାବେଳେ ଆନ୍ତର୍ଜାତୀୟ ଆଥଲେଟ୍ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାରେ। ଦୂତୀ ଏବେ ଜାତୀୟ ସ୍ତରର ଏକ ମାଗାଜିନର ପ୍ରଚ୍ଛଦପଟରେ ସ୍ଥାନ ପାଇଛନ୍ତି। ସେଥିରେ ସେ ନିଜ ବାନ୍ଧବୀ ମୋନାଲିସାଙ୍କ ମଥାରେ ସିନ୍ଦୂର ପିନ୍ଧାଉଥିବା ଫଟୋ ଦେଖିବାକୁ ମିଳିଛି।

ଏହି ଅବସରରେ  ଦୂତୀ କହିଛନ୍ତି  ବହୁ ଦିନରୁ ତାଙ୍କ ବାନ୍ଧବୀ ମୋନାଲିସାଙ୍କୁ ମନ୍ଦିରରେ ସେ ବିବାହ କରିସାରିଛନ୍ତି। ତେବେ ତାଙ୍କ ବାନ୍ଧବୀଙ୍କ ସହ  ଦୂତୀ ଗୋଟିଏ ଘରେ ଦୀର୍ଘ ଦିନରୁ ସାଙ୍ଗରେ ରହିବା ସହ ମୋନାଲିସା ତାଙ୍କ ପାଇଁ ସାବତ୍ରୀ ବ୍ରତ ମଧ୍ୟ ପାଳନ କରନ୍ତି ବୋଲି କହିଛନ୍ତି। ଭବିଷ୍ୟତରେ ଯଦି ବି ଆମେ ପୋଷ୍ୟସନ୍ତାନ ଗ୍ରହଣ କରୁ କିମ୍ବା ସେପରି କିଛି ହୁଏ ତେବେ ଜଣେ ବାପାର ସମସ୍ତ କର୍ତ୍ତବ୍ୟ ମୁଁ ନିଶ୍ଚିତ ସମ୍ପାଦନ କରିବି“ ବୋଲି ସେ ପ୍ରକାଶ କରିଛନ୍ତି। ଦୂତୀ ଆହୁରି କହିଛନ୍ତି ଯେ, ୨୦୧୯ରେ ଆମେ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିରରେ ବିବାହ କରି ସାରିଛୁ। ସେତେବେଳେ ପରିବାରରୁ ବିରୋଧ ହୋଇଥିଲା। ମାତ୍ର ଧୀରେ ଧୀରେ ସମସ୍ତେ ସବୁକିଛି ବୁଝି ପାରିଥିଲେ। ଏବେ ଆଉ ସେ ସ୍ଥିତି ନାହିଁ। ତେଣୁ ମୋ ମନରେ ମଧ୍ୟ ଆଉ ଭୟ ନାହିଁ ବୋଲି କହିଛନ୍ତି ଦୂତୀ ଚାନ୍ଦ ।  

ସେ କହିଛନ୍ତି ଆମେ ଦୁଇଜଣ ଜୀବନ ସାରା ସାଙ୍ଗହୋଇ ରହିବାକୁ ପ୍ରତିଜ୍ଞା କରିଥିବା ବେଳେ ସାମାଜିକ ସୁରକ୍ଷା ପାଇଁ କେବଳ ମ୍ୟାରେଜ ସାର୍ଟିଫିକେଟ ଆବଶ୍ୟକ, ତେବେ ସର୍ବୋଚ୍ଚ ନ୍ୟାୟଳୟରେ ଏବେ ଶୁଣାଣି ଚାଲିଥିବା ବେଳେ ସମଲିଙ୍ଗି ବିଭାବକୁ ସ୍ୱୀକୃତି ମିଳିବ ବୋଲି ଆଶାବାଦୀ ଅଛନ୍ତି ଦୂତୀ ଚାନ୍ଦ।

ସମଲିଙ୍ଗୀ ସମ୍ପର୍କକୁ ନେଇ ସମାଜରେ ଲୋକଙ୍କର ଚିନ୍ତାଧାରା ବଦଳିଛି, ପୂର୍ବରୁ ଏପରି ସମ୍ପର୍କକୁ ନେଇ ସମସ୍ତେ ବିଭିନ୍ନ କଥା କହୁଥିଲେ। ମାତ୍ର ଏବେ ବିଭିନ୍ନ ମହଲରୁ ସମର୍ଥନ ମିଳିବାରେ ଲାଗିଛି। ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ତୁର୍କୀ ଆଦି ଦେଶରେ ଏହା ବୈଧ ହୋଇ ସାରିଛି। ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏଥିପ୍ରତି ସମର୍ଥନ ବଢ଼ିବାରେ ଲାଗିଛି ବୋଲି ଦୂତୀ କହିଛନ୍ତି।

Leave a Reply

Your email address will not be published. Required fields are marked *