ଟି-ଟ୍ୱେଣ୍ଟି ବିଶ୍ୱକପର ସେମିଫାଇନାଲ ରାଉଣ୍ଡ ଚୂଡ଼ାନ୍ତ ହୋଇଯାଇଛି। ଅନେକ ଶକ୍ତିଶାଳୀ ଟିମକୁ ପଛରେ ପକାଇ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମି ଟିକେଟ୍ ହାତେଇଛନ୍ତି। ଗ୍ରୁପ-1ରୁ ନ୍ୟୁଜିଲାଣ୍ଡ , ଇଂଲଣ୍ଡ ଓ ଗ୍ରୁପ-2ରୁ ଭାରତ ଓ ପାକିସ୍ତାନ ସେମିରେ ପ୍ରବେଶ କରିଛନ୍ତି। ସୁପର-12ର ଶେଷ ମ୍ୟାଚରେ ଜିମ୍ବାଓ୍ୱେକୁ ହରେଇ ରବିବାର ଗ୍ରୁପ ଟପରେ ଟିମ୍ ଇଣ୍ଡିଆ ପହଞ୍ଚିଥିଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିଶ୍ୱକପ ଅଷ୍ଚ୍ରେଲିଆରେ ଖେଳାଯାଉଥିବା ବେଳେ ଅଷ୍ଟ୍ରେଲିଆ କିନ୍ତୁ ବିଶ୍ୱକପ ଅଧାରୁ ବିଦାୟ ନେଇଛି। ଏହାସହ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଟିମ୍ ମଧ୍ୟ ଅଧାରୁ ବିଦାୟ ନେଇଛି। ସେହିପରି ଦୁଇ ଦୁଇ ଥର ଚାମ୍ପିୟନ ଓ୍ୱେଷ୍ଟଇଣ୍ଡିଜ୍ ଟିମ୍ କ୍ୱାଲିଫାଇଂ ମ୍ୟାଚରୁ ବିଦାୟ ନେଇଛି। ତେବେ ଚଳିତ ବିଶ୍ୱକପ ବେଶ ରୋଚକ ଓ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଯାଇଛି। ଏହାରି ଭିତରେ ସମୀକରଣ ସୃଷ୍ଟି ହୋଇଛି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ। ଏଥିପାଇଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ଯଦି ସେମିରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ଏବଂ ଭାରତ ଇଂଲଣ୍ଡକୁ ପରାସ୍ତ କରିବ, ତେବେ ଫାଇନାଲ ମ୍ୟାଚରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିବେ। ବର୍ତ୍ତମାନ ଏହି ସମ୍ଭାବନାକୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ଧରିଛି। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲରେ ଗ୍ରୁପ-୧ ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ସହ ଗ୍ରୁପ-୨ରେ ଦ୍ୱିତୀୟ ସ୍ଥାନରେ ଥିବା ପାକିସ୍ତାନର ମୁକାବିଲା ହେବ। ଆସନ୍ତା ୯ ତାରିଖରେ ସିଡନୀରେ ଖେଳାଯିବ ଏହି ମ୍ୟାଚ୍। ସେହିପରି ଅନ୍ୟ ଏକ ସେମିଫାଇନାଲରେ ଗ୍ରୁପ-୨ର ପ୍ରଥମ ସ୍ଥାନରେ ଥିବା ଭାରତକୁ ଭେଟିବ ଗ୍ରୁପ-୨ର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ । ଆଡିଲେଡରେ ଆସନ୍ତା ୧୦ ତାରିଖରେ ହେବ ଏହି ମ୍ୟାଚ। ସାରା ବିଶ୍ୱର ନଜର କିନ୍ତୁ ଫାଇନାଲ ମ୍ୟାଚ ଉପରେ ରହିଛି। ଯଦି ଭାରତ ଓ ପାକିସ୍ତାନ ଫାଇନାଲକୁ ଯାଅନ୍ତି ତେବେ ପୁଣି ଏକ ରୋମାଞ୍ଚକର ଗ୍ରାଣ୍ଡ ଫିନାଲେ ଦେଖିବାକୁ ମିଳିବ ଯାହା 2007 ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ସଂସ୍କରଣ ସମୟରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ପାକିସ୍ତାନକୁ ଭାରତ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ ଟ୍ରଫି ହାତେଇଥିଲା।