ସାରା ଓଡ଼ିଶାରେ ଆକାଶଛୁଆଁ ପରିବା ଦର । ରାଜଧାନୀ ଭୁବନେଶ୍ୱର କଥା କହିଲେ ନସରେ। ଯେଉଁ ପରିବା ଉପରେ ହାତ ବୁଲାଇଲେ ସବୁ ୮୦ ଉପରେ । ଲଗାଣ ବର୍ଷା ଯୋଗୁଁ ଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଛି । ଫଳରେ ଆକାଶ ଛୁଆଁ ହୋଇଛି ପନିପରିବା ଦର । ଆଳୁ ଓ ପିଆଜ ଦାମ ବି ବଢେଇଦେଇଛନ୍ତି। ବଜାରରେ ବିନ୍ ମୂଲ୍ୟ ସବୁଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଦେଖିବାକୁ ମିଳିଛି ଫଳରେ ଚାଷଜମି ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପରିବା ଚାଷ ଜମି ଉପରେ ଜଳମଗ୍ନ ହୋଇଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।ଭୁବନେଶ୍ୱର ବଜାରକୁ ଯଦିଓ ବାହାର ରାଜ୍ୟରୁ କିଛି ପନିପରିବା ଆସୁଛି, ତଥାପି କଟକ ଜିଲ୍ଲା ଆଠଗଡ଼, ବାଙ୍କୀ ଓ ପିପିଲି ଅଞ୍ଚଳରେ ପରିବା ଚାଷୀମାନେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ତେଣୁ ଏବେ ଭୁବନେଶ୍ବରକୁ ଏହି ସବୁ ଅଞ୍ଚଳରୁ କମ ପରିମାଣରେ ପରିବା ଆସୁଛି। ବର୍ଷା ଯୋଗୁଁ କେବଳ ଚାଷୀମାନେ ପ୍ରଭାବିତ ହୋଇ ନାହାନ୍ତି, ବରଂ ଗ୍ରାହକମାନେ ମଧ୍ୟ ଅସୁବିଧାର ସାମ୍ନା କରିଛନ୍ତି। ସବୁଠାରୁ ଗରିବ ମଧ୍ୟମ ଧରଣର ପରିବାରକୁ ବାଧୁଛି। କାରଣ ପନିପରିବା ଦର ବଢ଼ିଥିବାରୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡୁଛି। ରାଜଧାନୀରେ ଆଜି ପରିବା ମାର୍କେଟରେ କିଲୋ ପିଛା ପରିବା ଦର କେତେ ଜାଣନ୍ତୁ:
ବିନ୍ ୨୦୦ ଟଙ୍କା
ଜହ୍ନି ୧୦୦ ଟଙ୍କା
କଲରା ୧୦୦ ଟଙ୍କା
ବାଇଗଣ ୮୦ ଟଙ୍କା
ଟମାଟୋ ୫୦ ଟଙ୍କା
ବଡ଼ କାଙ୍କଡ଼ ୮୦ ଟଙ୍କା
ଦେଶୀ କାଙ୍କଡ଼ ୨୦୦ ଟଙ୍କା
ପୋଟଳ ୮୦ ଟଙ୍କା
କଖାରୁ ୪୦ରୁ ୬୦ ଟଙ୍କା
ଝୁଡଙ୍ଗ ୮୦ ଟଙ୍କା
ଭେଣ୍ଡି ୧୦୦ ଟଙ୍କା
ବନ୍ଧାକୋବି ୭୦ ଟଙ୍କା
ଫୁଲକୋବି ଗୋଟେ ୫୦ରୁ ୭୦ ଟଙ୍କା , ଲେମ୍ବୁ ୨ ଟାକୁ ୧୦ ଟଙ୍କା
କେବଳ ଆଳୁ କିଲୋ ପାଖାପାଖି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ କିଲୋ ମଧ୍ୟ ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି ।