କରୋନାକୁ ନେଇ ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି। ଡିସେମ୍ବର ୩୧ ଯାଏ ଗାଇଡଲାଇନ ବଳବତ୍ତର ରହିବ। କଣ୍ଟେନମେଣ୍ଟ ଜୋନରେ ଲକ ଡାଉନ ଜାରି କରାଯାଇପାରିବ। ନୂଆ ଗାଇଡଲାଇନ୍ ନିୟମ ଅନୁସାରେ ସ୍ଥାନୀୟ ପ୍ରଶାସନ ଲକ୍ଡାଉନ ପାଇଁ ନିଷ୍ପତ୍ତି ନେଇପାରିବେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାନୁସାରେ ସ୍ଥାନୀୟ ପ୍ରଶାସନ ସତର୍କତାର ସହିତ ଲକ୍ଡାଉନ୍ ଜୋନ୍ ଘୋଷଣା କରିପାରିବେ। ତେବେ କଣ୍ଟେନମେଣ୍ଟ୍ ଜୋନ ବାହାରେ କିପରି ଗତିବିଧି ରହିବ ସେ ନେଇ ଗାଇଡଲାଇନରେ ସ୍ପଷ୍ଟ ସୂଚନା ଦିଆଯାଇଛି। ସାମାଜିକ, ଧାର୍ମିକ, ରାଜନୈତିକ ଆଦି ସମାବେଶରେ ଅଧିକ ଗହଳି ମନା କରାଯାଇଛି। ସେହିପରି ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ଉପରେ ରୋକ ଲଗାଯାଇଛି। ବାହାଘର ଉତ୍ସବରେ ସର୍ବାଧିକ ୨୦୦ ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇଛି। ବିବାହ, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ମାସ୍କ, ସାମାଜିକ ଦୂରତ୍ୱ ବଜାୟ ବାଞ୍ଛନୀୟ। ଚଳିତବର୍ଷ ତୋଷାଳୀ, ଶିଶିର ସରସ ଆଦି ମେଳା କରାଯିବ ନାହିଁ। ଗଣଶିକ୍ଷା ବିଭାଗ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେଇପାରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ନେବ ଗଣଶିକ୍ଷା ବିଭାଗ।କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ। ସେହିପରି ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଭାଗ ନେଇପାରିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।