ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳରେ ପୁଣି ପରିବର୍ତ୍ତନ, ଜାଣନ୍ତୁ କିଏ କଲେ ଇନ୍ ଆଉ ଆଉଟ୍

ଆଇପିଏଲ ପରେ ଭାରତୀୟ କ୍ରିକେଟ ଦଳର ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତ। ହେଲେ ଏହି ଗସ୍ତ ପାଇଁ ଦଳ ଚୟନ ହେବା ଦିନଠାରୁ ବିଭିନ୍ନ ପ୍ରଶ୍ନ ସାମ୍ନାକୁ ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ପ୍ରଥମେ, ଅଷ୍ଟ୍ରେଲିଆ ଗସ୍ତ ପାଇଁ ସ୍ଥାନ ମିଳିନଥିବା ବେଳେ ଏବେ କେବଳ ଗୋଟିଏ ଏବଂ ଶେଷ ଟେଷ୍ଟ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିଛି। ବିସିସିଆଇ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ  ବିରାଟ କୋହଲି ଡିସେମ୍ବର ୧୭ରେ ଆଡିଲେଡରେ ହେବାକୁ ଥିବା ପ୍ରଥମ ଟେଷ୍ଟ ଖେଳି ଭାରତକୁ ଫେରିଆସିବେ। ତାଙ୍କ ସ୍ଥାନରେ ପୂର୍ବରୁ ବିଶ୍ରାମ ଦିଆଯାଇଥିବା ଅଭିଜ୍ଞ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ରୋହିତ ଏକଦିବସୀୟ ଓ ଟି-୨୦ ସିରିଜରେ ଖେଳିବେ ନାହିଁ । ସୂଚନାଯୋଗ୍ୟ ଯେ ଆଇପିଏଲ ଖେଳିବା ବେଳେ ରୋହିତ ଆହତ ହୋଇଥିଲେ। ଫଳରେ ସେ ୪ଟି ମ୍ୟାଚ ଖେଳିପାରିନଥିଲେ । ବିରାଟ କୋହଲି ମାତ୍ର ଗୋଟିଏ ଟେଷ୍ଟ ଖେଳି ଭାରତକୁ ଫେରିଆସିବେ । ପତ୍ନୀ ଅନୁଷ୍କା ଶର୍ମା ମା’ ହେବାକୁ ଯାଉଥିବାରୁ ବିରାଟଙ୍କୁ ପିତୃତ୍ବ ଛୁଟି ପ୍ରଦାନ କରିଛି ବିସିସିଆଇ। ଅନ୍ୟପକ୍ଷରେ ବିରାଟଙ୍କ ଅନୁପସ୍ଥିତିରେ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ବ କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆହତ ଥିବା ଦ୍ରୁତ ବୋଲର ଇଶାନ୍ତ ଶର୍ମା ସୁସ୍ଥ ହେଉଥିବାରୁ ତାଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି। ସେ ଫିଟନେସ ପାଇବା ପରେ ଏ ସମ୍ପର୍କରେ ବିସିସିଆଇ ନିଷ୍ପତ୍ତି ନେବ।

ଅନ୍ୟପଟେ ଚଳିତ ଆଇପିଏଲ ସିଜିନରେ କୋଲକାତା ଦଳ ପକ୍ଷରୁ ଖେଳୁଥିବା ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଦମଦାର ପ୍ରଦର୍ଶନ କରି ଟିମ୍‌ ଇଣ୍ଡିଆର ଟି-୨୦ ଦଳରେ ସାମିଲ ହୋଇଥିଲେ। ହେଲେ ବରୁଣଙ୍କ କାନ୍ଧରେ ଆଘାତ ଲାଗିବା କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ସନରାଇଜର୍ସ ହାଇଦ୍ରାବାଦ୍‌ ଦଳର ଦ୍ରୁତ ବୋଲର ତଥା ଚଳିତ ଆଇପିଏଲର ୟର୍କର ସ୍ପେଶାଲିଷ୍ଟ ଭାବେ ଜଣାଶୁଣା ଟି-ନଟରାଜନଙ୍କୁ ଟି-୨୦ ସ୍କ୍ବାର୍ଡରେ ସାମିଲ କରାଯାଇଛି। ସେହିପରି ଦିନିକିଆ ଦଳରେ ସଞ୍ଜୁ ସାମସନ୍‌ଙ୍କୁ ଅତିରିକ୍ତ ଓ୍ବିକେଟ୍‌ କିପର ଭାବେ ସାମିଲ କରାଯାଇଛି। ।

Leave a Reply

Your email address will not be published. Required fields are marked *