ସର୍ବପୂରାତନ ଦଳ କଂଗ୍ରେସ ସାରା ଦେଶରେ ଦିନକୁ ଦିନ ଲୋକପ୍ରିୟତା ହରାଉଥିବା ବେଳେ ଏବେ ଦଳ ପାଇଁ ଆଉ ଏକ କଠିନ ସମୟ ସୃଷ୍ଟି ହୋଇଛି। କଂଗ୍ରେସ ଦଳରେ ଆମୂଳଚୂଳ ସାଂଗଠନିକ ପରିବର୍ତ୍ତନ ପାଇଁ ଦଳର ୨୩ ଜଣ ବରିଷ୍ଠ ନେତା ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିବା ପରେ ଦଳରେ ଏବେ କମ୍ପନ ଦେଖିବାକୁ ମିଳିଛି। ଏହି ପତ୍ରକୁ ଗାନ୍ଧି ପରିବାରର ନେତୃଥ୍ୱ ପ୍ରତି ମଧ୍ୟ ଚାଲେଞ୍ଜ ଭାବେ ଦେଖାଯାଉଛି। ଯାହାକୁ ନେଇ ନଜ ପଦରୁ ଇସ୍ତଫା ଦେବାଲାଗି ସୋନିଆ ଗାନ୍ଧି ମଧ୍ୟ ଇସାରା ଦେଇସାରିଲେଣି। ଦଳ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଥିବାରୁ ନେତୃତ୍ୱ ପରିବର୍ତନ ପାଇଁ ଏବେ ଉପଯୁକ୍ତ ସମୟ ନୁହେଁ ବୋଲି କିଛି ନେତା ମତ ପ୍ରକାଶ କରିଛନ୍ତି। ସେମାନେ ସୋନିଆ ଏବଂ ରାହୁଲଙ୍କୁ ସମର୍ଥନ ଜଣାଇଛନ୍ତି। ଆଜି କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ହେବାକୁ ଯାଉଥିବାରୁ ଦଳ ଭିତରେ ଦୁଇ ପ୍ରକାର ମତ ଜାତୀୟ ରାଜନୀତିକୁ ସରଗରମ କରିଛି। ତେବେ ସୋନିଆା ଏବଂ ରାହୁଲଙ୍କୁ ସମର୍ଥନ କରି ଆଗେଇ ଆସିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ଛତିଶଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ତେବେ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠିରେ ସ୍ୱାକ୍ଷର କରିଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ସିବଲ, ମନୀଶ ତିଵାରୀ, ଶଶି ଥରୁର, ସନ୍ଦୀପ ଦୀକ୍ଷିତ, ମୁକୁଲ ଵାସନିକ୍, ରାଜ ବବ୍ବର, ଭୂପିନ୍ଦର ସିଂହ ହୁଡ଼ା, ବୀରାପ୍ପା ମୋଇଲି, ପୃଥ୍ବୀରାଜ ଚୌହାନ, ପି ଜେ କୁରିଆନ୍, ରେଣୁକା ଚୌଧୁରୀ, ମିଲିନ୍ଦ ଦେଓରା ପ୍ରମୁଖ। ତେବେ ଏହି ନେତାମାନେ ପତ୍ର ଲେଖିଥିବା କଥା ସାଧାରଣରେ ସ୍ୱୀକାର କରୁନାହାଁନ୍ତି। ୨୩ ଜଣଙ୍କ ପତ୍ର ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସୋନିଆ କିଛି ନେତାଙ୍କୁ ଡାକି ସଭାପତି ପଦରୁ ଓହରିଯିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନେତାମାନେ ଏକାଠି ହୋଇ ନୂଆ ମୁଖ୍ୟ ଚୟନ କରନ୍ତୁ। ସେ ଏହି ଦାୟିତ୍ୱରେ ଅଧିକ ଦିନ ରହିବାକୁ ଆଗ୍ରହୀ ନୁହନ୍ତି। ଗତ ଲୋକସଭା ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବାପରେ ସୋନିଆଙ୍କୁ ଅନ୍ତରୀଣ ସଭାପତି ଚୟନ କରାଯାଇଥିଲା। ଏପରି ସ୍ଥିତିରେ ରାହୁଲ ଗାନ୍ଧୀ ପୁଣି ଥରେ ସଭାପତି ପଦକୁ ଫେରିବା ସମ୍ଭାବନା ଦେଖାଦେଇଛି। ଅନ୍ୟପଟେ ଜାତୀୟ ଗଣମାଧ୍ୟମରେ ଆଉ ଏଖ ଚର୍ଚ୍ଚା ଦେଖିବାକୁ ମିଳିଛି। ସାଧାରଣ ନିର୍ବାଚନ ଆହୁରି ଅନେକ ସମୟ ବାକିଥିବା ବେଳେ ରାହୁଲ ଗାନ୍ଧୀଙ୍କ ବଦଳରେ ଏକ ବର୍ଷ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅନ୍ତରୀଣ ସଭାପତି କରାଯାଇପାରେ। ଯାହା ଏବେ ଚର୍ଚ୍ଚାର କେନ୍ଦ୍ରର ବିନ୍ଦୁ ପାଲଟଛି।