ସାରା ରାଜ୍ୟରେ ପୁଣିଥରେ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି। ଆଜି ଠାରୁ ୨୭ ତାରିଖ ଯାଏ ବର୍ଷାର ପ୍ରକୋପ ଅନେକ ସ୍ଥାନରେ ଅଧିକ ରହିବ। ବିଶେଷକରି ଉପକୂଳ, ଉତ୍ତର, ପଶ୍ଚିମ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ମତରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଖୁବଶୀଘ୍ର ଏହା ଲଘୁଚାପର ରୂପ ନେବ। ପରେ ୨୭ ତାରିଖ ବେଳକୁ ଏହା ଉତ୍ତରପ୍ରଦେଶ ଏବଂ ବିହାର ଉପରେ ରହି ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇବ। କିଛି ସ୍ଥାନରେ ୨୦୦ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ଆକଳନ କରାଯାଉଛି। ଏହାର ପ୍ରଭାବରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ ଓ କଚ୍ଚା ଘର ପ୍ରଭାବିତ ହୋଇପାରେ। ଭୀଷଣ ବର୍ଷାର ଏହି ଧାରା ୯ଟି ଜିଲ୍ଲାରେ ଅବ୍ୟାହତ ଥାଇ ୨୬ ତାରିଖ ସକାଳ ସୁଦ୍ଧା ବର୍ଷା ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳକୁ ବି ପ୍ରଭାବିତ କରିବ। ଆଜି ସକାଳ ଠାରୁ ଉପକୂଳବର୍ତୀ ଓଡ଼ିଶା, ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ବର୍ଷାର ପ୍ରକୋପ ବଢ଼ିବ। ୨୫ ତାରିଖ ସକାଳ ସୁଦ୍ଧା ବର୍ଷା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା (୯ ଜିଲ୍ଲା) ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବର ସମ୍ଭାବନା ରହିଛି। ଏହାସହ ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ପୁରୀ, କନ୍ଧମାଳ ଓ ବୌଦ୍ଧରେ ପ୍ରବଳ ବର୍ଷା ସୂଚନା ଦିଆଯାଇଛି। ବର୍ଷା ପ୍ରଭାବରେ ତେଲ, ଜିରା, ବୁଢାବଳଙ୍ଗ, ବୈତରଣୀ ଓ ସୁବର୍ଣ୍ଣରେଖା ପ୍ରମୁଖ ନଦୀ ଉଛୁଳି ବଡ଼ ବନ୍ୟା ଆଣିବା ସମ୍ଭାବନା ଦେଖାଦେିଛି। କିଛି ସ୍ଥାନରେ ଜଳସ୍ଥର ବଢି ଚାଲିଛି। ଏକ ବଡ଼ ବନ୍ୟାକୁ ମଧ୍ୟ ଏଡ଼ାଇ ଦେଇ ହେବ ନାହିଁ ବୋଲି କୁହାଯାଇଛି।
ଏହି ଲଘୁଚାପ ଜନିତ ବର୍ଷାର ପ୍ରକୋପ ଭୀଷଣ ହୋଇପାରେ ବୋଲି ଆକଳନ କରି ଆଜି ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି। ବିଡ଼ିଓ ଓ ତହସିଲଦାରଙ୍କ ଠାରୁ ଆରମ୍ଭକରି ଅଗ୍ନିଶମ ବିଭାଗ, ଓଡ୍ରାଫ୍, ଏନ୍ଡ଼ିଆର୍ଏଫ୍ ସମସ୍ତେ ସଜାଗ ରହିବାକୁ କୁହାଯାଇଛି। ପୂର୍ତ ବିଭାଗ, ନଗର ଉନ୍ନୟନ, ଡ୍ରେନେଜ୍, ଜଳସଂପଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ ପରିସ୍ଥିତି ଉପରେ ନଜର ରଖି ତତ୍କାଳ ପଦକ୍ଷେପ ନେବାକୁ କୁହାଯାଇଛି।