ସାମାଜିକ ଦୂରତା ଭିତରେ କଳିଙ୍ଗରେ ହକି ଅଭ୍ୟାସ

କରୋନା ପାଇଁ ସାରା ଦେଶରେ ଲକଡାଉନ୍ ସ୍ଥିତି ଜାରି ରହିଛି। ଏହାରି ଭିତରେ ହକି ଖେଳାଳିଙ୍କୁ ଅଭ୍ୟାସ କରିବାକୁ ସୁଯୋଗ ମିଳିଛି। କିଛିଦିନ ତଳେ ଅଲିମ୍ପିକ୍ସ ପ୍ରସ୍ତୁତ ଲାଗି ପ୍ରମୁଖ ଆଥ୍‌ଲେଟ୍‌ଙ୍କ ପାଇଁ  ଭୁବନେଶ୍ୱର କଳିଙ୍ଗ ‌ଷ୍ଟାଡିୟମ ଖୋଲିଥିଲା। ଏବେ କଳିଙ୍ଗ ଷ୍ଟାଡିୟମରେ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଓ ନାଭାଲ ଟାଟା ହକି ଏକାଡେମି ଓଡ଼ିଶାର ଅନ୍ତେବାସୀଙ୍କୁ ଆଉଟ୍‌ଡୋର ଅଭ୍ୟାସ ସୁଯୋଗ ଦେଇଛି। ଖେଳାଳିମାନେ ରାଜ୍ୟ, କେନ୍ଦ୍ର ଓ ଅନ୍ତର୍ଜାତୀୟସ୍ତରରେ ଜାରି ହୋଇଥିବା କୋଭିଡ୍‌-୧୯ର ସମସ୍ତ ନିୟମାବଳୀକୁ ପାଳନ କରି ଅଭ୍ୟାସ ଆରମ୍ଭ କରିଛନ୍ତି। ଆରମ୍ଭରୁ ୫ ଜଣ ଖେଳାଳିଙ୍କୁ ଅଭ୍ୟାସ ଲାଗି ସୁଯୋଗ ମିଳିଛି। ଆଗାମୀ ସପ୍ତାହରେ ଆଉ ୫ ଜଣ ଏହି ପ୍ରଶିକ୍ଷଣ ଦଳରେ ଯୋଗଦେବେ। ଲକ୍‌ଡାଉନ୍‌ ପରେ ଖେଳାଳିମାନେ ଅଭ୍ୟାସକୁ ଫେରିବା ଲାଗି ଅନେଇ ବସିଥିଲେ। ଶେଷରେ ସେମାନଙ୍କୁ ଖେଳିବା ପାଇଁ ସୁଯୋଗ ମିଳିଛି। ଏଥିସହ ଖେଳାଳିଙ୍କ ତାପମାତ୍ରା ମପାଯିବା ସହ, ଟର୍ଫକୁ ପ୍ରତି ସେସନ ପରେ ସାନିଟାଇଜ କରାଯାଉଛି।ଜୁଲାଇ ପ୍ରଥମ ସପ୍ତାହ ବେଳକୁ ହକି ଷ୍ଟିକ୍‌ରେ ଅଭ୍ୟାସ ଆରମ୍ଭ ହେବ। ଓଡ଼ିଶା ସରକାର ଓ ନାଭାଲ ଟାଟା ହକି ଏକାଡେମିର ମିଳିତ ସହଯୋଗରେ ହକି ଉଚ୍ଚ ପ୍ରଦର୍ଶନ କେନ୍ଦ୍ର ଗତ ବର୍ଷ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା। ଏହି କେନ୍ଦ୍ରରେ ଓଡ଼ିଶାରୁ ୧୮, ଝାଡଖଣ୍ଡରୁ ୫, ଆସାମରୁ ୨ ଏବଂ ପଞ୍ଜାବ, ଉତ୍ତରପ୍ରଦେଶ ଓ ମଣିପୁରରୁ ଜଣେ ଲେଖାଏଁ ଖେଳାଳି ରହିଛନ୍ତି।

Leave a Reply

Your email address will not be published. Required fields are marked *